ଭୁବନେଶ୍ୱର : ନିରୀହ ଲୋକ ତଣ୍ଟି ସବୁବେଳେ ପାୱାରଫୁଲ ଲୋକଙ୍କ ହାତରେ ଚାପି ହୋଇ ରୁହେ । କେନ୍ଦ୍ରାପଡା ଜିଲ୍ଲାରେ ଠିକ ସେମିତି ଘଟଣା ନଜରକୁ ଆସିଛି । କେନ୍ଦ୍ରାପଡା ଜ୍ୱାଇଁ କହିଲେ ସମସ୍ତେ ବୁଝନ୍ତି ତାମିଲ ବାବୁ । ଏହି ଠକେଇ ବି ହୋଇଛି ଜ୍ୱାଇଁ ବାବୁଙ୍କ ନାଁ ନେଇ । ପାଣ୍ଡିଆନଙ୍କ ଶଳା ଓ ସୁଜାତାଙ୍କ ଭାଇ କହି ନିରୀହ ଆଦିବାସୀଙ୍କୁ ଲୁଟିନେଲେ । ମିଳିମିଶି କୋଟି କୋଟି ଟଙ୍କା ଠକିନେଲେ ବିଜେଡିର ନିର୍ବାଚିତ ପ୍ରତିନିଧି ଓ ପଦାଧିକାରୀ । ସରଳ ଆଦିବାସୀଙ୍କୁ ଚାକିରୀ ଦେବା ନାଁରେ କୋଟି କୋଟି ଟଙ୍କା ନେଇ ଚଳୁ କରିଦେଲେ । ଉକ୍ତ ଘଟଣାରେ ସମ୍ପୃକ୍ତ ଅଛନ୍ତି ଜଣେ ନକଲି ଓଏସଏସ ଅଧିକାରୀ ଓ ସ୍ଥାନୀୟ ବିଜେଡି ଜିଲ୍ଲା ପରିଷଦ ସଭ୍ୟା। ନିଜକୁ ବରିଷ୍ଠ ଆଇଏସଏସ ଅଫିସର ସୁଜାତା ପାଣ୍ଡିଆନଙ୍କ ଭାଇ କହି ପିଲାଙ୍କୁ ଚାକିରୀ କରାଇବାର ପ୍ରଲୋଭନରେ ପକାଇ ଟଙ୍କା ନେଇଥିଲେ କେନ୍ଦ୍ରାପଡ଼ାର ରମେଶ ଚନ୍ଦ୍ର ରାଉତ । ଏପରିକି ମିଶନ ଶକ୍ତି ମହିଳାଙ୍କ ଇ-ସ୍କୁଟିର ଟେଣ୍ଡର ପାସ କରାଇଦେବେ ବୋଲି କହି ନେଇଥିଲେ ଲକ୍ଷ ଲକ୍ଷ ଟଙ୍କା । ଆଉ ଏହି ଟଙ୍କା ହଜମ କରିବାରେ ତାଙ୍କୁ ସହଯୋଗ କରିଥିଲେ ମାଥିଲି ଜିଲ୍ଲା ପରିଷଦ ସଦସ୍ୟ ସସ୍ମିତା ମାଝୀ ଓ ବିଜେଡିର ପୂର୍ବତ୍ତନ ସାଂସଦ ପ୍ରତିନିଧି ଜୀବନ ସାହୁ ।
ତେବେ ସସ୍ମିତାଙ୍କୁ ଫୋନ ପେ’ ମାଧ୍ୟମରେ ହେଉଥିଲା ଏହି ଟଙ୍କା ନେଣଦେଣ । ଏହି ମାମଲା ରୁଜ୍ଜୁ କରି ମାଥିଲି ପୋଲିସ ରମେଶ ଚନ୍ଦ୍ର ରାଉତ ଙ୍କୁ ଭୁବନେଶ୍ୱର ରୁ ଗିରଫ କରିଥିବାବେଳେ ଜିଲ୍ଲା ପରିଷଦ ସଦସ୍ୟା ସସ୍ମିତା ମାଝୀ ଓ ଜୀବନ ସାହୁ ଉଭୟ ଫେରାର ହୋଇଛନ୍ତି ।
ସୂଚନା ଯୋଗ୍ୟ ଯେ, ମାଥିଲି ବ୍ଲକର ନନ୍ଦ କିଶୋର ପୁହାଣ ଟଙ୍କା ପୁଅ କୁ ଯୋଗାଣ ଅଧିକାରୀ ଚାକିରୀ କରାଇବା ପାଇଁ ସସ୍ମିତା ଓ ରମେଶଙ୍କୁ ୭ଲକ୍ଷ୩୦ହଜାର ଟଙ୍କା ପଠାଇଛନ୍ତି । ଅନ୍ୟଜଣେ ବ୍ୟବସାୟୀ କାର୍ତ୍ତିକ ରାୟଙ୍କୁ ମିଶନ ଶକ୍ତି ମହିଳା ଓ କଲେଜ ଛାତ୍ରୀଙ୍କୁ ଇ-ସ୍କୁଟି ଯୋଗାଇବା ଟେଣ୍ଡର କରାଇଦେବେ କହି ସସ୍ମିତା ମାଝୀ ଓ ନିଜକୁ ପାଣ୍ଡିଆନଙ୍କ ଶଳା ବୋଲାଉଥିବା ରମେଶ ରାଉତ ଆକାଉଣ୍ଟରେ ୨୬ ଲକ୍ଷ ୨୦ ହଜାର ଟଙ୍କା ଦେଇଛନ୍ତି । ସେହିଭଳି ୨୭ ବର୍ଷୀୟ ମାଧବ ହରେଶ କୁମାରଙ୍କୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଚାକିରୀ କରାଇଦେବେ କହି ସୁଜାତାଙ୍କ କଥାକଥିତ ଭାଇଙ୍କୁ ୧୦ ଲକ୍ଷ ୧୦ ହଜାର ଟଙ୍କା ମାଥିଳିର ବିଜେଡି ନେତା ଜୀବନ ସାହୁଙ୍କ ଜରିଆରେ ଦେଇଥିଲେ ।