ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ଜୋରସୋରରେ ଆଗେଇ ଚାଲିଛି ରଥକାମ। ମହାରଣା, ଭୋଇ, କମାର, ରୂପକାର ସେବକ ରଥ ନିର୍ମାଣ କାର୍ଯ୍ୟରେ ଲାଗି ପଡିଛନ୍ତି । ଆଜି ଦଣ୍ଡା ହଣା କାମ ଅନୁକୂଳ ହୋଇଛି । ୪୨ଟି ଚକ ମଧ୍ୟରୁ ୩୩ ଗୋଟି ଚକ ନିର୍ମାଣ କାମ ଶେଷ ହୋଇଛି।
ବିଧି ମୁତାବକ ତିନି ରଥ ପାଇଁ ଆଗାମୀ ଶୀତଲଷଷ୍ଠୀ ସୁଦ୍ଧା ସମସ୍ତ ଚକ ଥାକ କରାଯିବ। ଚାରି ନାହାକା ଉଠିବା ପାଇଁ ୨୦ ଫୁଟିଆ ନାହାକା କାଠ ଯୋଗାଯାଇଛି। ନାହାକା କାଠକୁ ଚଉପଟ କରାଯାଇଛି। କରତି ମହାରଣା ଗୟଲ କାମ ଆରମ୍ଭ କରିଛନ୍ତି। ରୂପକାରମାନେ ରଥ ଖଳାରେ କୋଣ ଗୁଜ ନିର୍ମାଣ କାମ ଜାରି ରଖିଛନ୍ତି । ଦଣ୍ଡା ପଡିବା ପୂର୍ବରୁ ସମସ୍ତ କୋଣ ଗୁଜ କାମ ସରିବ ବୋଲି ରୂପକାର ସେବାୟତ କହିଛନ୍ତି।