ଚନ୍ଦ୍ରାୟନ-୨ ଚନ୍ଦ୍ରର ୪ର୍ଥ କକ୍ଷରେ ପହଂଚିଲା

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଶୁକ୍ରବାର ଚନ୍ଦ୍ରାୟନ-୨ ଚନ୍ଦ୍ରର ଚତୁର୍ଥ କକ୍ଷରେ ସଫଳତାର ସହ ଅବସ୍ଥାପିତ ହୋଇଛି । ଶୁକ୍ରବାର ସଂଧ୍ୟାରେ ଚନ୍ଦ୍ରାୟନ-୨ ଆଉ ଏକ ସଫଳତା ହାସଲ କରିଥିବା ନେଇ ସୂଚନା ଦେଇଛି ଇସ୍ରୋ । ସେଠାରେ ପ୍ରଥମେ ଚନ୍ଦ୍ରଯାନରେ ଲାଗିଥିବା ଇଂଜିନକୁ ମାତ୍ର ୧୯ ମିନିଟ ୨୦ ସେକେଣ୍ଡ ପାଇଁ ଚଲାଯାଇଥିଲା। ଏହାପରେ ମହାକାଶଯାନଟି ନୂଆ କକ୍ଷପଥରେ ପହଂଚିଲା। ଏହି କକ୍ଷ ପଥରେ ଚନ୍ଦ୍ରାୟନ-୨ ଚନ୍ଦ୍ରଠାରୁ ନିକଟତମ ଅବସ୍ଥାରେ ୧୨୪ କିଲୋମିଟର ଏବଂ ଦୂରତମ ଅବସ୍ଥାରେ ଏହା ୧୬୪ କିଲୋମିଟର ଦୂରରେ ରହିବ ।
ଏହା ପରେ ୨ ତାରିଖରେ ଚନ୍ଦ୍ରଯାନ-୨ରୁ ଅଲଗା ହୋଇ ଲାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ ଚନ୍ଦ୍ର ଆଡକୁ ଖସିବା ଆରମ୍ଭ କରିବ । ୩ ତାରିଖରେ ବିକ୍ରମ ଲାଣ୍ଡରର ଅବସ୍ଥା ଯାଂଚ କରାଯିବ । ୩୦ ସେକେଣ୍ଡ ପାଇଁ ଏହାର ଇଂଜିନ ଚାଲୁ କରାଯିବ ଏବଂ କକ୍ଷରେ ସାମାନ୍ୟ ପରିବର୍ତ୍ତନ କରାଯିବ । ଏହାପର ୪ ତାରିଖରେ ଚନ୍ଦ୍ରର ସବୁଠୁ ନିକଟ ଅବସ୍ଥାକୁ ଆସିବ ଲାଣ୍ଡର । ଶେଷରେ ୭ ତାରିଖରେ ଚନ୍ଦ୍ର ମାଟି ଛୁଇଁବ ଲାଣ୍ଡର । ଏହାର ୨ ଘଂଟା ପରେ ରୋଭର ଲାଣ୍ଡରରୁ ଅଲଗା ହୋଇ ଚନ୍ଦ୍ର ପୃଷ୍ଠରେ ଗତି କରିବ ।