ନଭେମ୍ବର ଯାଏଁ ଗରିବଙ୍କୁ ଖାଦ୍ୟ ଯୋଗାଇବ କେନ୍ଦ୍ର

ନୂଆଦିଲ୍ଲୀ: ମାଗଣା ଟୀକା ସହ ମାଗଣା ରାସନ ସାମଗ୍ରୀ ଦୀପାବଳି ପର୍ଯ୍ୟନ୍ତ ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା ପାଇଁ ଲୋକଙ୍କ ଜୀବିକା ବିପନ୍ନ ହୋଇଥିବାରୁ ଏପରି ବ୍ୟବସ୍ଥା କରିଛି କେନ୍ଦ୍ର ସରକାର ।
ଆଜି ମୋଦି ତାଙ୍କ ସମ୍ବୋଧନ କାଳରେ ନଭେମ୍ବର ମାସ ପର୍ଯ୍ୟନ୍ତ ଅର୍ଥାତ୍ ଦୀପାବଳି ପର୍ଯ୍ୟନ୍ତ ଦେଶବାସୀଙ୍କୁ ମାଗଣା ରାସନ ଯୋଗାଇ ଦିଆଯିବ ବୋଲି କହିଛନ୍ତି। ଫଳରେ ଏହି ଯୋଜନାରେ ପ୍ରାୟ ୮୦ କୋଟି ଭାରତୀୟ ମାଗଣା ରାସନ ପାଇବେ। ଗତବର୍ଷ କରୋନା ମହାମାରୀ ସମୟରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଗିରବ କଲ୍ୟାଣ ଯୋଜନା ଆଧାରରେ ଏହି ସୁବିଧା ମିଳିବ।୨୦୨୦ରୁ ଲାଗୁ ହୋଇଥିବା ଏହି ଯୋଜନାକୁ ନଭେମ୍ବର ମାସ ଯାଏ ବୃଦ୍ଧି କରାଯାଇଛି।
ମହାମାରୀ ସମୟରେ ସରକାର ଗିରବଙ୍କ ସହ ଅଛନ୍ତି। ନଭେମ୍ବର ଯାଏ ୮୦ କୋଟି ଗରିବ ଲୋକଙ୍କୁ ମାଗଣାରେ ରାସନ ଯୋଗାଇ ଦିଆଯିବ ବୋଲି ମୋଦି କହିଛନ୍ତି ।
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଗରିବ ଲୋକଙ୍କୁ ୫ କେଜି ଚାଉଳ କିମ୍ବା ଗହମ ଓ ୧ କେଜି ଡାଲି ମିଳିବ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଅନ୍ତର୍ଭୁକ୍ତ ୮୦ କୋଟି ଲୋକ ଏହି ଯୋଜନା ଦ୍ୱାରା ଲାଭବାନ ହେବେ। ସମସ୍ତଙ୍କୁ ମାଗଣା ରାସନ ମିଳିବ। ସେହିପରି ଲୋକମାନେ ପୂର୍ବଭଳି ୫ କେଜି ଚାଉଳ, ଗହମ ଓ ଡାଲି ଯଥାକ୍ରମେ ୩, ୨ ଓ ୧ ଟଙ୍କାରେ ଅତିରିକ୍ତ ଭାବେ ମଧ୍ୟ କିଣିପାରିବେ।