ନବନିଯୁକ୍ତ ଅଙ୍ଗନବାଡ଼ି ହେଲପରଙ୍କ ଦରମା କରାଇଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ସିଡିପିଓ

ଭୁବନେଶ୍ୱର-: ଜଣେ ନବନିଯୁକ୍ତ ଅଙ୍ଗନବାଡ଼ି ହେଲପରଙ୍କ ଦରମା କରାଇଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ସିଡିପିଓ । ଶିଶୁ ବିକାଶ ଅଧିକାରୀଙ୍କ ନାମ ଶକୁନ୍ତଳା ଦାସ ବୋଲି ଜଣା ପଡିଛି ।

ସୂଚନାନୁସାରେ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକର ସିଡିପିଓ ଶକୁନ୍ତଳା ଦାସ ଏବଂ ଅଧାମୁଣ୍ଡା ଅଙ୍ଗନୱାଡି କେନ୍ଦ୍ରର ଜଣେ ଅଙ୍ଗନୱାଡି କର୍ମୀ ଜଣେ ନବନିଯୁକ୍ତ ଅଙ୍ଗନୱାଡି ସହାୟକଙ୍କ ବ୍ୟକ୍ତିଗତ ଫାଇଲ ଖୋଲିବା ଏବଂ ତାଙ୍କ ଦରମା ପ୍ରଦାନ କରିବା ପାଇଁ ତାଙ୍କଠାରୁ ୧୦,୦୦୦ ଟଙ୍କା ଲାଞ୍ଚ ଦାବି କରୁଥିଲେ । ତେଣୁ ସହାୟକ ଜଣକ ନିରୁପାୟ ହୋଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ତେବେ ଗତକାଲି ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଥିଲେ ଶକୁନ୍ତଳା  ।

ଗିରଫ ପରେ ଭିଜିଲାନ୍ସ ତାଙ୍କ ସହିତ ଜଡିତ ତିନୋଟି ସ୍ଥାନରେ ଏକକାଳୀନ ତଲାସି କରିଥିଲା ଆଉ ଜାଣିବାକୁ ପାଇଥିଲା ଶକୁନ୍ତଳାଙ୍କ ଅଚଳାଚଳ ସଂପତ୍ତି ରହିଛି । ଭୁବନେଶ୍ୱର କୈବଲ୍ୟ ନଗରରେ ୩୩୦୦ ବର୍ଗଫୁଟର ତିନି ମହଲା ବିଶିଷ୍ଟ ଘର । କୋରାପୁଟ ସେମିଳିଗୁଡାରେ ୨୨୦୦ ବର୍ଗଫୁଟର ଦୁଇ ମହଲା ଘର ଏବଂ ଏକ ବାସପଯୋଗୀ ପ୍ଲଟ । ପୁରୀ ଭାରତୀପୁରରେ ନିର୍ମାଣଧୀନ କୋଠା । ୨୨ ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ ଓ ନଗଦ ୪୭ ହଜାର ଟଙ୍କା ଜବତ କରିଥିଲା ।