ବୋର୍ଡ ପରୀକ୍ଷାରେ ବଦଳିଗଲା ଖାତା ଯାଞ୍ଚ ପଦ୍ଧତି । ଏବେ ହେବ ଡିଜିଟାଲ୍ ମାର୍କିଂ । CBSE ଦ୍ୱାଦଶ ପରୀକ୍ଷା ଖାତା ଏବେ କଂପ୍ୟୁଟରରେ ଯାଞ୍ଚ ହେବ । ୨୦୨୬ରୁ ଲାଗୁ ହେବ ନୂଆ ‘ଡିଜିଟାଲ୍’ ନିୟମ । ଫଳରେ ଖାତା ଦେଖାରେ ଆଉ ଭୁଲ୍ ହେବନି । ଆସନ୍ତା ୧୭ରୁ ଆରମ୍ଭ ହେବାକୁ ଥିବା ଦ୍ୱାଦଶ ବୋର୍ଡ ପରୀକ୍ଷା ପାଇଁ ଅନ୍-ସ୍କ୍ରିନ୍ ମାର୍କିଂ ବ୍ୟବସ୍ଥା ଆରମ୍ଭ ହୋଇଛି । ଏହି ବ୍ୟବସ୍ଥାରେ ଶିକ୍ଷକମାନେ ଆଉ ହାତରେ ଖାତା ନଦେଖି ଡିଜିଟାଲ୍ ମୋଡ୍ ରେ କମ୍ପୁଟରରେ ଖାତା ଯାଞ୍ଚ କରିବେ । ପରୀକ୍ଷା ଶେଷ ହେବା ପରେ ଛାତ୍ରଛାତ୍ରୀଙ୍କ ହାତଲେଖା କାଗଜ ଖାତାକୁ ସ୍କାନ୍ କରାଯାଇ କମ୍ପୁଟରରେ ଅପଲୋଡ୍ କରାଯିବ ।
CBSE ର ସ୍ୱତନ୍ତ୍ର ପୋର୍ଟାଲ୍ ଜରିଆରେ ସେଠାରେ ହିଁ ମାର୍କ ଦେବେ । ଏହା ଫଳରେ କମ୍ପୁଟର ମାକିଂ କରିବ । ଗଣନାରେ କୌଣସି ଭୁଲ୍ ହେବାର ସମ୍ଭାବନା ରହିବ ନାହିଁ । ଡିଜିଟାଲ୍ ପ୍ରକ୍ରିୟା ଯୋଗୁଁ ଖାତା ଯାଞ୍ଚ କାମ ଶୀଘ୍ର ସରିବ । ଠିକ୍ ସମୟରେ ଫଳ ପ୍ରକାଶ ପାଇବ । ଖାତା ଯାଞ୍ଚ ପ୍ରକ୍ରିୟା ଅଧିକ ସ୍ୱଚ୍ଛ ଓ ସଠିକ୍ ହେବ । ବାରମ୍ବାର ‘ଖାତା ରି-ଚେକିଂ’ କରିବାର ଆବଶ୍ୟକତା କମିଯିବ । କାଗଜପତ୍ରର ଅଦଳବଦଳ ଓ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଖାତା ପଠାଇବା କଷ୍ଟ କମିବ । ତେବେ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ପଦ୍ଧତିରେ କୌଣସି ପରିବର୍ତ୍ତନ ହୋଇନାହିଁ ।