(କୋଲକାତା): ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ଶାସକ ଦଳ ତୃଣମୂଳ କଂଗ୍ରେସ (ଟିଏମସି)ର ଜଣେ ନେତାଙ୍କ ଘରେ ଗୁରୁବାର ସିବିଆଇ ଚଢାଉ କରିଛି । ପଶୁ ଚୋରା ଚାଲାଣ ଏବଂ ବେଆଇନ କୋଇଲା ଖନନ ମାମଲାରେ ସିବିଆଇ ଟିଏମସିର ଯୁବ ସାଧାରଣ ସମ୍ପାଦକ ବିନୟ ମିଶ୍ରଙ୍କ ଘରେ ଚଢାଉ କରିଛି । ବିନୟଙ୍କ କୋଲକାତା ସ୍ଥିତ ୨ଟି ଘର ସମେତ ଅନ୍ୟ କେତେକ ସ୍ଥାନରେ ଚଢାଉ ଚାଲିଛି । ସୂଚନା ଅନୁଯାୟୀ, ସିବିଆଇ ପକ୍ଷରୁ ବିନୟଙ୍କୁ ଲଗାତାର ନୋଟିସ ପଠାଯାଇଥିଲେ ବି ଏହାକୁ ସେ ଅଣଦେଖା କରିଥିଲେ । ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଶେକ ବାନାର୍ଜୀଙ୍କ ନିକଟତର ବୋଲି ଶୁଣିବାକୁ ମିଳୁଛି । ଆଜି ସିବିଆଇ ଟିମ ବିନୟ ମିଶ୍ରଙ୍କ ଘରେ ପହଞ୍ଚି ୨ଟି ସ୍ଥାନରେ ଚଢଉ କରିଛି । ଗୋଟିଏ ସ୍ଥାନରେ ଗାଈ ଚୋରା ଚାଲାଣ ଓ ଅନ୍ୟ ସ୍ଥାନରେ କୋଇଲା ଦୁର୍ନିତିକୁ ନେଇ ଚଢାଉ ହୋଇଥିବା ଜଣାପଡିଛି ।