ଜାତିଗତ ଜନଗଣନା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା ହୋଇଛି । କିପରି ହେବ ଜାତିଗତ ଜନଗଣନା ତାହାକୁ ନେଇ ଚର୍ଚ୍ଚା ଚାଲିଛି । ଏବେ ଜନଗଣନାରେ ଜାତି ସ୍ତମ୍ଭ ଯୋଡାଯିବ କି ନାହିଁ ଏବଂ ଉପ-ଜାତି କିମ୍ବା ବଂଶ ପାଇଁ ମଧ୍ୟ ଏକ ସ୍ତମ୍ଭ ରହିବ କି ନାହିଁ ସେ ବିଷୟରେ ଆଲୋଚନା ଆରମ୍ଭ ହୋଇଛି। କୁହାଯାଇଛି ଜନଗଣନା ସମୟରେ ଧର୍ମ ସହିତ ଜାତି ପାଇଁ ଏକ ସ୍ତମ୍ଭ ରହିବ । ସେହିଭଳି ମୁସଲିମ ସମ୍ପ୍ରଦାୟରେ ବି ଅନେକ ଜାତି ରହିଛି । ଏହି ଜାତିଗତ ଜନଗଣନାରେ ଏହି ସୂଚନା ମଧ୍ୟ ସାମ୍ନାକୁ ଆସିବ । ସୂତ୍ରଗୁଡିକରୁ ପ୍ରକାଶ ଯେ ସରକାର ମୁସଲିମ ସଂରକ୍ଷଣ ସହିତ ଜଡିତ କୈାଣସି ଦାବିକୁ ଗ୍ରହଣ କରିବେ ନାହିଁ । ଏହାର କାରଣ ହେଉଛି ଧର୍ମ ଆଧାରରେ ସଂରକ୍ଷଣ ଅନୁମତି ପ୍ରାପ୍ତ ନୁହେଁ ।
ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ସମ୍ବିଧାନରେ ଧର୍ମ ଆଧାରରେ ସଂରକ୍ଷଣର କୈାଣସି ବ୍ୟବସ୍ଥା ନାହିଁ । ସେପଟେ ଆସନ୍ତ ଦୁଇ ତିନି ମାସ ମଧ୍ୟରେ ଜନଗଣନା କାର୍ଯ୍ୟକ୍ରମ ଆରମ୍ଭ ହେବ । ଏଥିପାଇଁ ସରକାର ଖୁବଶୀଘ୍ର ଡେପୁଟେସନରେ ଅଧିକାରୀ ମାନଙ୍କୁ ନିୟୋଜିତ ପାଇଁ ପ୍ରକ୍ରିୟା ଆରମ୍ଭ କରୁଛନ୍ତି । ଏଥର ଡିଜିଟାଲ ଉପାୟରେ ଜନଗଣନା କରାଯିବ । ଜନଗଣନାରେ ବାୟୋମେଟ୍ରିକ ଏବଂ ଏ ଆଇ ବ୍ୟବହାର କରାଯିବ । ତଥାପି ବିଶ୍ଲେଷଣ ପାଇଁ ଏକରୁ ଦୁଇ ବର୍ଷ ସମୟ ଲାଗିପାରେ ।
ସୂତ୍ର ଅନୁସାରେ ସରକାରଙ୍କ ଲକ୍ଷ୍ୟ ହେଉଛି ୨୦୨୯ ଲୋକସଭା ନିର୍ବାଚନ ମହିଳା ସଂରକ୍ଷଣ ସହିତ କରିବା। ଲୋକସଭା ନିର୍ବାଚନରେ ମହିଳା ସଂରକ୍ଷଣ କାର୍ୟ୍ୟକାରୀ କରିବା ପାଇଁ ସୀମା ନିର୍ଦ୍ଧାରଣ ପାଇଁ ଜନଗଣନା ତଥ୍ୟ ଉପଲବ୍ଧ ହେବା ଆବଶ୍ୟକ। ଏହା ମଧ୍ୟ ଏକ କାରଣ ଯେ କେନ୍ଦ୍ର ସରକାର ଜନଗଣନା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତିରେ ନିୟୋଜିତ ଅଛନ୍ତି । ଆସନ୍ତା ବର୍ଷ ସୁଦ୍ଧା ଜନଗଣନା ସମାପ୍ତ ହେବା ପରେ ସୀମା ନିର୍ଦ୍ଧାରଣ କାର୍ୟ୍ୟ ଆରମ୍ଭ ହେବ। ସୀମା ନିର୍ଦ୍ଧାରଣ ପାଇଁ ଏକ କମିଶନ ଗଠନ କରାଯିବ। ସୀମା ନିର୍ଦ୍ଧାରଣ କମିଶନର ଦଳ ରାଜ୍ୟଗୁଡ଼ିକ ଗସ୍ତ କରି ଏକ ରିପୋର୍ଟ ପ୍ରସ୍ତୁତ କରିବେ।