ଜଙ୍ଗଲରେ ଅଫ୍ ରୋଡିଂ ପାଇଁ ୧୫ ପର୍ଯ୍ୟଟକଙ୍କ ନାଁରେ ମାମଲା ରୁଜୁ, ୧୦ ଗାଡ଼ି ଜବତ

ରିପୋଟର୍ସ ଟୁଡେ ବ୍ୟୁରୋ:  କର୍ଣ୍ଣାଟକ ବନାଞ୍ଚଳରେ ଜଙ୍ଗଲ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ବେଙ୍ଗାଲୁରୁର ୧୫ଜଣ ପର୍ୟ୍ୟଟକଙ୍କ ନାଁରେ ମାମଲା ରୁଜୁହୋଇଛି। ସେମାନଙ୍କ ପାଖରୁ ୧୦ଟି ଚାରିଚକିଆ ଗାଡ଼ି ଜବତ କରାଯାଇଛି। ଏହି ପର୍ୟ୍ୟଟକମାନେ କର୍ଣ୍ଣାଟକର ବନାଞ୍ଚଳରେ ଅଫ୍-ରୋଡ୍ ଡ୍ରାଇଭିଂ କରୁଥିଲେ।

ମିଳିଥିବା ସୂଚନା ମୁତାବକ, ଜୁଲାଇ ୧୫ ତାରିଖରେ ଅଚନାହଲ୍ଲୀ ନିକଟ ମୁରକନୁ ଗୁଡା ଜଙ୍ଗଲରେ ହାସନ ଜିଲ୍ଲାର ସକଲେଶପୁର ରେଞ୍ଜ ଅଧିକାରୀମାନେ ଏକ ସ୍ୱତନ୍ତ୍ର ଅଭିଯାନ ଚଳାଇଥିଲେ। ଏହି ସମୟରେ ଅଧିକାରୀମାନେ ବେଙ୍ଗାଲୁରୁର କିଛି ପର୍ୟ୍ୟଟକଙ୍କୁ ଅଟକାଇଥିଲେ। ଏହି ପର୍ୟ୍ୟଟକମାନେ ଜଙ୍ଗଲରେ ଅଫ୍-ରୋଡ୍ ଦୁଃସାହସିକ ଯାତ୍ରାରେ ଥିଲେ।
ବନ ଅଧିକାରୀଙ୍କ ସୂଚନା ଅନୁସାରେ ପର୍ୟ୍ୟଟକମାନେ ଜଙ୍ଗଲ ଅତିକ୍ରମ କରିବାକୁ ଯାଇ ଗାଡ଼ିଗୁଡ଼ିକୁ ମୁରକନୁ ଗୁଡ଼ା ଶିଖର ପର୍ୟ୍ୟନ୍ତ ନେଇଯାଇଥିଲେ। ଏହି ଗାଡିଗୁଡ଼ିକୁ ନିୟମ ଉଲ୍ଲଂଘନ ପାଇଁ ଜବତ କରାଯାଇଛି । କର୍ଣ୍ଣାଟକ ଜଙ୍ଗଲ ଅଧିନିୟମ ୧୯୬୩ର ସମ୍ବନ୍ଧିତ ଧାରା ଅଧୀନରେ ୧୫ ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଛି।

ଅଧିକାରୀମାନଙ୍କ କହିବା ଅନୁସାରେ, ଜଙ୍ଗଲରେ ଗାଡି ଚଲାଇବା ଦ୍ୱାରା ଗଛ ନଷ୍ଟ ହୁଏ । ଜଙ୍ଗଲ ବିଭାଗ ପକ୍ଷରୁ ହୋମଷ୍ଟେ ଏବଂ ରିସର୍ଟ ଚଳାଉଥିବା ଲୋକଙ୍କୁ ଜଙ୍ଗଲରେ କୌଣସି ପ୍ରକାର କାର୍ୟ୍ୟକ୍ରମ ନକରିବାକୁ ଚେତାବନୀ ଦିଆଯାଇଛି । ଯେଉଁମାନେ ନିୟମ ଉଲ୍ଲଂଘନ କରୁଛନ୍ତି, ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଉଛି ।