କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେବ ରେଟିନା ଅସ୍ତ୍ରୋପ୍ରଚାର

(ଶୁଭସ୍ମିତା ଦାଶ): କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେକାବୁ ଯାଉଛି ରେଟିନା ଅସ୍ତ୍ରୋପ୍ରଚାର । ଏନେଇ ଚକ୍ଷୁ ବିଭାଗରେ ଏକ ନୂତନ ଓଟି ବା ଅସ୍ତ୍ରୋପଚାର ଗୃହ ଆରମ୍ଭ ହେବ । ମାଗଣାରେ ରୋଗୀଙ୍କୁ ଏହି ସୁବିଧା ମିଳିବ । ନିକଟରେ ଏହାର ଉଦ୍ଘାଟନ କରାଯିବ ବୋଲି ସୂଚନା ମିଳିଛି । ଜାତୀୟ ସ୍ୱାସ୍ଥ୍ୟ ମିସନ୍ ପକ୍ଷରୁ ଏଥିପାଇଁ ଅର୍ଥ ଯୋଗାଇ ଦିଆଯାଇଛି । ଓଟି ପାଇଁ ଆବଶ୍ୟକ ଯନ୍ତ୍ରପାତି ପାଇଁ ନିକଟରେ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି । ହସ୍ପିଟାଲର ଚକ୍ଷୁ ବିଭାଗର ଜଣେ ଡ଼ାକ୍ତର ଏହି ଅସ୍ତ୍ରୋପ୍ରଚାରର ତାଲିମ ନିମନ୍ତେ ଦିଲ୍ଲୀ ଯିବେ । ଅନ୍ୟପଟେ ପ୍ରଥମ ଥର ପାଇଁ ଏହି ଓଟି ରେ ଅସ୍ତ୍ରୋପ୍ରଚାର ପାଇଁ ଘରୋଇ ଚକ୍ଷୁ ଡ଼ାକ୍ତରଖାନାର ଡ଼ାକ୍ତରଙ୍କୁ ଅନୁମତି ମିଳିବ । ଏନେଇ ଅଭିଜ୍ଞ ଡ଼ାକ୍ତର ମାନେ ଆବେଦନ କରି ପାରିବେ । ଆବେଦନ ପରେ ଏନଇ ହସ୍ପିଟାଲ କର୍ତୁପକ୍ଷ ବିଚାର କରିବେ । ତେବେ ଏହି ପ୍ରସ୍ତାବ ରାଜ୍ୟ ସରକାରଙ୍କ ଅନୁମୋଦନ ଅପେକ୍ଷାରେ ରହିଛି । ସରକାରୀ ହସ୍ପିଟାଲରେ ପ୍ରଥମ ଥର ଲାଗି ଘରୋଇ ଡ଼ାକ୍ତରଙ୍କୁ ଅସ୍ତ୍ରୋପ୍ରଚାର କରାଇବାର ସୁଯୋଗ ମିଳିବ । ଯାହା ଫଳରେ ଅସ୍ତ୍ରୋପ୍ରଚାର ମାତ୍ରା ବଢିବ ବୋଲି ହସ୍ପିଟାଲ କର୍ତୁପକ୍ଷ କହିଛନ୍ତି । ପୂର୍ବରୁ କ୍ୟାପିଟାଲ ହସ୍ପିଟାଲରେ ଥିବା ଓଟିରେ କେବଳ ମୋତିଆବିନ୍ଦୁର ଅସ୍ତ୍ରୋପ୍ରଚାର ହେଉଥିଲା । ମୋତିଆବିନ୍ଦୁ ରୋଗୀଙ୍କ କ୍ଷେତ୍ରରେ ସଂକ୍ରମଣର ଅଧିକ ଆଶଙ୍କା ଥିବାରୁ ସେହି ଓଟିରେ ଅନ୍ୟ କୌଣସି ଅସ୍ତ୍ରୋପ୍ରଚାର ପାଇଁ ଅନୁମତି ମିଳି ନାହିଁ । ତେଣୁ କରି ରେଟିନା ଅସ୍ତ୍ରୋପ୍ରଚାର ପାଇଁ ରୋଗୀଙ୍କୁ ଘରୋଇ ମେଡ଼ିକାଲ ଉପରେ ନିର୍ଭର କରିବାକୁ ପଡୁଥିଲା । ଏଥିପାଇଁ ସୋମନଙ୍କୁ ଅଧିକ ପଇସା ମଧ୍ୟ ଖର୍ଚ୍ଚ କରିବାକୁ ପଡ଼ୁଥିଲା । କ୍ୟାପିଟାଲ ହସ୍ପିଟାଲରେ ଏହି ଅସ୍ତ୍ରୋପ୍ରଚାର ହେବା ଦ୍ୱାରା ରୋଗୀ ଉପକୃତ ହେବେ ବୋଲି କର୍ତୁପକ୍ଷ କହିଛନ୍ତି ।