କଖାରୁ ବୋଝେଇ କ୍ୟାଣ୍ଟରରୁ ଗଞ୍ଜେଇ ଜବତ

(ଭବାନୀପାଟଣା): ପୋଲିସଠୁ ବଞ୍ଚି ଯିବା ପାଇଁ ଗଞ୍ଜେଇ ମାଫିଆ ମାନେ ଭିନ୍ନ ଭିନ୍ନ ଉପାୟ ଆପଣାଉଛନ୍ତି । କେତେବେଳେ ମାଲବୋଝେଇ ଗାଡ଼ିରେ ଗଞ୍ଜେଇ ଚାଲାଣ କରୁଛନ୍ତି ତ କେତେବେଳେ ବିଭିନ୍ନ ଫଳ ଓ ପନିପରିବା ଟ୍ରକରେ ପଠାଉଛନ୍ତି । ଏପରି କିଛି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗାରୁ । ତେବେ ସୂଚନା ଅନୁଯାୟୀ ଗତକାଲି ପୋଲିସ କୌଣସି ସୂତ୍ରରୁ ଖବର ପାଇ ରାୟଗଡ଼ାରୁ ଉତ୍ତର ପ୍ରଦେଶର ଗାଜିଆବାଦ ଅଭିମୁଖେ ଯାଉଥିବା ଏକ କଖାରୁ ବୋଝେଇ କ୍ୟାଣ୍ଟରକୁ କେସିଙ୍ଗାର ଅଣ୍ଡର ବ୍ରିଜ୍ ନିକଟରେ ଧରିଥିଲା । ତେବେ ପୋଲିସ ଗାଡ଼ିର ଯାଞ୍ଚ କଲାବେଳେ ପ୍ରଥମେ କଖାରୁ ଭର୍ତ୍ତି ବସ୍ତା ବାହାରିଥିଲା । ମାତ୍ର କଖାରୁ ବସ୍ତା ତଳୁ ୨୮୧ ପ୍ୟାକେଟ ଗଞ୍ଜେଇ ବାହାରିଥିଲା । ଏନେଇ ପୋଲିସ ଗଞ୍ଜେଇ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି ।