ଏଣିକି ଦୁଇବର୍ଷିଆ ବିଏଡ୍ ପାଠ୍ୟକ୍ରମ‌ ସଂପୂର୍ଣ୍ଣ କରିଥିବା ପ୍ରାର୍ଥୀଙ୍କୁ ମିଳିବ କନିଷ୍ଠ ଶିକ୍ଷକ ହେବାର ସୁଯୋଗ

କଟକ:- ବିଏଡ୍ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ଏଣିକି ଦୁଇବର୍ଷିଆ ବିଏଡ୍ ପାଠ୍ୟକ୍ରମ‌ ସଂପୂର୍ଣ୍ଣ କରିଥିବା ପ୍ରାର୍ଥୀଙ୍କୁ ମିଳିବ କନିଷ୍ଠ ଶିକ୍ଷକ ହେବାର ସୁଯୋଗ। ବିଏଡ୍ ପ୍ରାର୍ଥୀଙ୍କୁ ରାଜ୍ୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ସୁଯୋଗ ଦେବାକୁ ଓଡିଶା ହାଇକୋର୍ଟ ଦେଇଛନ୍ତି ନିର୍ଦ୍ଦେଶ। ସ୍ନାତକ ପରେ ଦୁଇବର୍ଷିଆ ବିଏଡ୍ ପାସ୍ କରିଥିବା ଆବେଦନକାରୀଙ୍କୁ ଅଯୋଗ୍ୟ ଘୋଷଣା ସହିତ ତାଙ୍କ ପ୍ରାର୍ଥିତ୍ବ ଖାରଜ କରି ୨୦୨୪ ଜୁଲାଇ ୨୫ରେ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରି ଦେଇଛନ୍ତି । କନିଷ୍ଠ ଶିକ୍ଷକ ପଦ ପାଇଁ ୨୦୨୩ ସେପ୍ଟେମ୍ବର ୧୦ର ବିଜ୍ଞପ୍ତି ଆଧାରରେ ଅନୁଷ୍ଠିତ ନିଯୁକ୍ତି ପ୍ରକ୍ରିୟାର ପ୍ରକାଶିତ ପ୍ରୋଭିଜନାଲ୍‌ ମେଧା ତାଲିକାରେ ଆବେଦନକାରୀଙ୍କ ନାଁ ପୁନଃସ୍ଥାପିତ କରାଯିବ । ଏହାପରେ ଆବେଦନକାରୀଙ୍କ ନିଯୁକ୍ତି ପ୍ରସଙ୍ଗରେ ପରବର୍ତ୍ତୀ କାର୍ଯ୍ୟାନୁ‌ଷ୍ଠାନ ଗ୍ରହଣ କରାଯିବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶରେ ଓସେପା ପକ୍ଷରୁ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ସ୍କୁଲଗୁଡ଼ିକରେ ପ୍ରାୟ ୨୦ ହଜାର କନିଷ୍ଠ ଶିକ୍ଷକ ପଦ ପୂରଣ ପାଇଁ ୨୦୨୩, ସେପ୍ଟେମ୍ବର ୧୦ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ୨୦୨୩, ଅଗଷ୍ଟ ୨୨ରେ ପ୍ରକାଶିତ ସର୍ତ୍ତାବଳୀ ଲାଗୁ ହେବ ବୋଲି କୁହାଯାଇଥିଲା । ଏନ୍‌ସିଟିଇ ବିଜ୍ଞପ୍ତି ଅନୁସାରେ ଶିକ୍ଷାଗତ ଯୋଗ୍ୟତା ଧାର୍ଯ୍ୟ କରାଯାଇଥିବା କୁହାଯାଇଥିଲା । ପ୍ରାର୍ଥୀ ଅନ୍ୟ ଶିକ୍ଷାଗତ ଯୋଗ୍ୟତା ସହିତ ଏକବର୍ଷିଆ ବିଏଡ୍ କରିଥିବେ ଏବଂ ଏହି ପଦବୀ ପାଇଁ ଆବେଦନ କରିପାରିବେ ବୋଲି ସ୍ପଷ୍ଟ କରାଯାଇଥିଲା। ଆବେଦନକାରୀ ଦୁଇବର୍ଷିଆ ବିଏଡ୍ (ସ୍ବତନ୍ତ୍ର ଶିକ୍ଷା) କରିଥିବା ବେଳେ ଏହି ପଦବି ପାଇଁ ଦରଖାସ୍ତ ଦାଖଲ କରିଥିଲେ । ପ୍ରକାଶିତ ଚିଠା ମେଧା ତାଲିକାରେ ଆବେଦନକାରୀ ସ୍ଥାନ ପାଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଏକବର୍ଷିଆ ବିଏଡ୍ କରି ନଥିବାରୁ ଆବେଦନକାରୀଙ୍କ ପ୍ରାର୍ଥିତ୍ୱକୁ ଖାରଜ କରି ଦିଆଯାଇଥିଲା।

ମୁଖ୍ୟ ବିଚାରପତି ଜଷ୍ଟିସ୍‌ ହରିଶ ଟଣ୍ଡନ ଓ ମାନସ ରଞ୍ଜନ ପାଠକଙ୍କୁ ନେଇ ଗଠିତ ଖଣ୍ଡପୀଠ ସନ୍ତୋଷ କୁମାର ବେହେରାଙ୍କ ପକ୍ଷରୁ ଦାୟର ରିଟ୍ ଅପିଲର ଶୁଣାଣି କରି ଏହି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ପ୍ରାର୍ଥିତ୍ବ ଖାରଜ ନିର୍ଦ୍ଦେଶକୁ ବିରୋଧ କରି ଆବେଦନକାରୀ ଦାୟର କରିଥିବା ଆବେଦନକୁ ୨୦୨୪ ଅକ୍ଟୋବର ୪ରେ ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଅଗ୍ରାହ୍ୟ କରିଥିଲେ । ଏହି ରାୟକୁ ଚାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟର ଦୁଇଜଣିଆ ଖଣ୍ଡପୀଠରେ ରିଟ୍ ଅପିଲ ଦାୟର କରିଥିଲେ । ପୂର୍ବରୁ ସମାନ ଅବସ୍ଥାରେ ଥିବା ଅନ୍ୟ ପ୍ରାର୍ଥୀଙ୍କ ମାମଲାରେ ହାଇକୋର୍ଟର ଦୁଇଜଣିଆ ଖଣ୍ଡପୀଠ ପ୍ରଦାନ କରିଥିବା ୨୦୨୫ ଫେବ୍ରୁଆରି ୧୭ର ରାୟ ପ୍ରସଙ୍ଗରେ ଶୁଣାଣି ସମୟରେ ଆବେଦନକାରୀଙ୍କ ତରଫରୁ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।