ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧିନ ନୂଆ ମନ୍ତ୍ରୀମଣ୍ଡଳ ରବିବାର ଶପଥ ଗ୍ରହଣ କରିଛନ୍ତି । ଶପଥ ନେଇଥିବା ୧୩ଜଣ କ୍ୟାବିନେଟ ଏବଂ ୮ଜଣ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ) ଶପଥ ଗ୍ରହଣ କରିଥିଲେ । ତେବେ ଏହି ନୂତନ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି । କ୍ୟାବିନେଟ ମନ୍ତ୍ରୀ ଭାବେ ଜଗନ୍ନାଥ ସାରକାଙ୍କୁ ଆଦିବାସୀ କଲ୍ୟାଣ ବିଭାଗ ମିଳିଛି । ସେହିପରି ନିରଞ୍ଜନ ପୂଜାରୀଙ୍କୁ ମିଳିଛି ଅର୍ଥ ଓ ସଂସଦୀୟ ବ୍ୟାପାର, ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ କୃଷି, ମତ୍ସ୍ୟ ଓ ପଶୁସମ୍ପଦ, ପ୍ରମିଳା ମଲ୍ଲିକଙ୍କୁ ମିଳିଛି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ । ସେହିପରି ଉଷା ଦେବିଙ୍କୁ ନଗର ଉନ୍ନୟନ ବିଭାଗ ମିଳିଥିବା ବେଳେ ପ୍ରଫୁଲ୍ଲ ମଲ୍ଲିକଙ୍କୁ ମିଳିଛି ଖଣି ଓ ଇସ୍ପାତ ବିଭାଗ । ସେହିପରି ପ୍ରତାପ କେଶରୀ ଦେବଙ୍କୁ ଶକ୍ତି, ଅତନୁ ସବ୍ୟସାଚୀ ନାଏକଙ୍କୁ ଖାଦ୍ୟ ଓ ଯୋଗାଣ ବିଭାଗ ମିଳିଛି । ସେହିପରି ପ୍ରଦୀପ କୁମାର ଅମାତଙ୍କୁ ମିଳିଛି ଜଙ୍ଗଲ ଓ ପରିବେଶ ବିଭାଗ । ସେହିପରି ପୂର୍ବ କ୍ୟାବିନେଟରେ ମନ୍ତ୍ରୀ ଥିବା ନବ କିଶୋର ଦାସଙ୍କୁ ସେହି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମିଳିଛି । ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ମିଳିଛି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ଟୁକୁନି ସାହୁଙ୍କୁ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ବିଭାଗ ମିଳିଥିବା ବେଳେ ରାଜେନ୍ଦ୍ର ଢ଼ୋଲକିଆଙ୍କୁ ଯୋଜନା ଓ ସମନ୍ୱୟ ବିଭାଗ ମିଳିଛି ।
ସେହିପରି ୮ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଦାୟିତ୍ୱ ମିଳିଛି । ସମୀର ରଞ୍ଜନ ଦାସଙ୍କୁ ମିଳିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଅବକାରୀ ବିଭାଗ ଅଶ୍ୱିନୀ କୁମାର ପାତ୍ରଙ୍କୁ ମିଳିଛି । ସେହିପରି ନୂଜନ ଭାବେ ମନ୍ତ୍ରୀ ଭାବେ ଶପଥ ନେଇଥିବା ପ୍ରୀତିରଞ୍ଜନ ଘଡେଇଙ୍କୁ ମିଳିଛି ଗ୍ରାମ୍ୟ ଉନ୍ନୟନ ବିଭାଗ । ସେହିପରି ଶ୍ରୀକାନ୍ତ ସାହୁଙ୍କୁ ମିଳିଛି ଶ୍ରମ ଓ ନିଯୁକ୍ତି ବିଭାଗ । ତୁଷାରକାନ୍ତି ବେହେରାଙ୍କୁ ପୂର୍ବର ଯୁବ ବ୍ୟାପାର ଓ କ୍ରୀଡା ବିଭାଗ ସହିତ ଗୃହ ରାଷ୍ଟ୍ରମନ୍ତ୍ରୀର ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି । ସେହିପରି ରୋହିତ ପୂଜାରୀଙ୍କୁ ଉଚ୍ଚଶିକ୍ଷା ବିଭାଗ ମିଳିଥିବା ବେଳେ ରୀତା ସାହୁଙ୍କୁ ବୟନ ଓ ହସ୍ତଶିଳ୍ପ ବିଭାଗ ଏବଂ ବାସନ୍ତୀ ହେମ୍ବ୍ରମଙ୍କୁ ମହିଳା ଓ ଶିଶୁ କଲ୍ୟାଣ ଓ ମିଶନ ଶକ୍ତି ବିଭାଗ ମିଳିଛି ।