ଆଜି ପବିତ୍ର ବ୍ୟଞ୍ଜନ ଦ୍ବାଦଶୀ, ଶ୍ରୀକୃଷ୍ଣଙ୍କ ପାଇଁ ପ୍ରସ୍ତୁତ ହେଲା ୬୦୦ରୁ ଉର୍ଦ୍ଧ୍ବ ପ୍ରକାର ବ୍ୟଞ୍ଜନ

ପୁରୀ: ମାର୍ଗଶୀର ଶୁକ୍ଳ ଦ୍ୱାଦଶୀ ବ୍ୟଞ୍ଜନ ଦ୍ଵାଦଶୀ ବା ଅଖଣ୍ଡ ଦ୍ଵାଦଶୀ ନାମରେ ଜଣା । ଦ୍ବାପର ଯୁଗର ଲୋକକଥା ଓ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ପାଇଁ ପ୍ରତିବର୍ଷ ଏବି ପର୍ବ ପାଳନ ହୋଇଆସୁଛି । ଆଜିର ଦିନରେ ଯଶୋଦା ମା’ ତାଙ୍କ ପୁତ୍ର ଶ୍ରୀକୃଷ୍ଣଙ୍କ ପାଇଁ ନାନାଦି ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇବାକୁ ଦେଇଥିବାର କିମ୍ବଦନ୍ତୀ ରହିଛି । ସେହି ପରମ୍ପରାକୁ ପାଳନ କରିବାକୁ ଯାଇ ଆଜିର ଦିନରେ ପୁରୀର ଗୌରବିହାର ଆଶ୍ରମଠାରେ ବ୍ୟଞ୍ଜନ ଦ୍ବାଦଶୀ ଉତ୍ସବ ପାଳିତ ହୁଏ। ଏହି ଦ୍ୱାଦଶୀରେ ଅନୁଷ୍ଠିତ ଧର୍ମକର୍ମର ଫଳ ଖଣ୍ଡିତ ହୁଏ ନାହିଁ । ବ୍ୟଞ୍ଜନ ଦ୍ଵାଦଶୀ ଗୌଡ଼ୀୟ ବୈଷ୍ଣବ ସଂପ୍ରଦାୟର ଶ୍ରାଦ୍ଧାଳୁମାନଙ୍କର ଏକ ପ୍ରମୁଖ ପର୍ବ । କୃଷ୍ଣଲୀଳାର ଏହି ପର୍ଯ୍ୟାୟକୁ ଗୌଡ଼ୀୟ ବୈଷ୍ଣବଧର୍ମୀମାନେ ନିଷ୍ଠାର ସହିତ ପାଳନ କରିଥାନ୍ତି ।

କିନ୍ବଦନ୍ତୀ ଅନୁସାରେ, ମା’ ଯଶୋଦା ହଠାତ ଦିନେ ଦେଖିଲେ ଯେ ତାଙ୍କ ଏକୋଇର ବଳା ବିଶିକେଶନ କାହ୍ନାର ଦେହ ଝଡ଼ି ଯାଇଛି। ମା’ଙ୍କ ଆଖିକୁ ସେ ଶୁଖି କଳାକାଠ ପଡ଼ି ଯାଇଥିବା ଦେଖାଗଲେ । ଏତିକିରେ ମା’ ଉଚ୍ଛନ୍ନ ହୋଇଗଲେ । ଭାବିଲେ ନଖାଇ ନପିଇ ସେ ଏମିତି ହୋଇଗଲାଣି । ସେଠୁ ଯଶୋଦା କ’ଣ କଲେ ନା ନିଜେ ରୋଷେଇ ଘରକୁ ଯାଇଁ ନାନାଦି ପ୍ରକାରର ପୁଷ୍ଟିକର ତଥା ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରି କୃଷ୍ଣଙ୍କୁ ଖୁଆଇଲେ । ଶ୍ରୀଚୈତନ୍ୟ ମହାପ୍ରଭୁ ମଧ୍ୟ ବାଲ୍ୟକାଳରେ ନିଜ ମା’ଙ୍କ ପରଷା ବହୁବିଧ ଖାଦ୍ୟ ଖାଇଥିବାର ଶୁଣାକଥା ଅଛି । ଏହି ଦୁଇଟି ଶୁଣାକଥାକୁ ମିଶାଇ ଗୌଡ଼ୀୟ ବୈଷ୍ଣବମାନେ ନିଷ୍ଠାର ସହିତ ବ୍ୟଞ୍ଜନ ଦ୍ୱାଦଶୀ ପାଳନ କରିଥାନ୍ତି ।

ଏହି ଦିବସକୁ ପାଳନ କରିବା ପାଇଁ ପୁରୀର ଗୌର ବିହାର ଆଶ୍ରମ ଏକ ଅଭିନବ ଆୟୋଜନ କରନ୍ତି । ଭିନ୍ନ ଭିନ୍ନ ବର୍ଷରେ କେବେ ୫୦୫, କେବେ ୬୦୬ ଆଉ କେବେ ୫୫୫ ପ୍ରକାର ବ୍ୟଞ୍ଜନାଦି ଖାଦ୍ୟ ଭୋଗ କରିଥାନ୍ତି । ପ୍ରତି ବର୍ଷ ଏ ଭୋଗ ସଂଖ୍ୟା ବଦଳିଥାଏ । କୃଷ୍ଣଙ୍କୁ ଏସବୁ ଖାଦ୍ୟ ଅର୍ପଣ କରାଯାଏ । ଗତ କିଛିବର୍ଷ ଧରି ଆଶ୍ରମରେ ଏହି ଅବସରରେ ଶହ ଶହ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଉଛି । ଏହି ଆଶ୍ରମରେ ପ୍ରତିବର୍ଷ ୩୦ରୁ ଅଧିକ ଅନ୍ତେବାସୀ ଅନ୍ନବ୍ୟଞ୍ଜନ ପ୍ରସ୍ତୁତ କରି ଶ୍ରୀକୃଷ୍ଣଙ୍କୁ ଭୋଗ ଲଗାଇଥାନ୍ତି । ଏହା ମଧ୍ୟରେ ଥାଏ ୫୦ରୁ ଅଧିକ ପ୍ରକାରର ଅନ୍ନ, ୫୦ରୁ ଅଧିକ ପ୍ରକାରର ଡାଲି, ୧୦୦ରୁ ଅଧିକ ପ୍ରକାର ତରକାରୀ, ୫୦ରୁ ଅଧିକ ପ୍ରକାର ଭଜା ଓ ୧୦୦ରୁ ଅଧିକ ପ୍ରକାର ପିଠା ଓ ମିଠା ଇତ୍ୟାଦି । ଆଶ୍ରମବାସୀ ପରିବାପତ୍ର କଟାକଟି କରିବା ସହିତ ଆନୁଷଙ୍ଗିକ ପ୍ରସ୍ତୁତି ପରେ ଅପରାହ୍ଣ ୨ଟାରୁ ଭୋଗ ପ୍ରସ୍ତୁତି ଆରମ୍ଭ କରାଯାଇଥାଏ । ଏହା ଗୌଡ଼ିୟ ବୈଷ୍ଣବ ସଂପ୍ରଦାୟର ଶ୍ରାଧାଳୁମାନଙ୍କ ମଧ୍ୟରେ ଏକ ପ୍ରମୁଖ ପର୍ବ। ପରେ ପ୍ରସାଦକୁ ଭକ୍ତମାନଙ୍କ ମଧ୍ୟରେ ବଣ୍ଟନ କରଯାଏ । ଏତେ ପ୍ରକାର ବ୍ୟଞ୍ଜନ ପରଷିବା ପାଇଁ ସ୍ଵତନ୍ତ୍ର ଭାବେ ନିର୍ମିତ ଖଲିପତ୍ରକୁ ବ୍ୟବହାର କରାଯାଇଥାଏ ।    ଗୌର ବିହାର ବ୍ୟତୀତ ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ଓ ଅନ୍ୟାନ୍ୟ ମଠ ମନ୍ଦିର ମାନଙ୍କରେ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରି ଭୋଗ କରାଯାଇଥାଏ ।