ପୁରୀରୁ ୧୧୦ ଗ୍ରାମ ବ୍ରାଉନସୁଗାର ଜବତ

ପୁରୀ ପୁରୀ ଚନ୍ଦନପୁର ପୋଲିସ ଦ୍ବାରା ଗିରଫ ହୋଇଛି ବ୍ରାଉନସୁଗାର କିଙ୍ଗପିନ ଭୀମସେନ ପ୍ରଧାନ। ଅଭିଯୁକ୍ତ ଭୀମସେନକୁ ପୋଲିସ ଜଗନ୍ନାଥ ସଡକ ବୀର ନରସିଂହପୁର ଛକଠାରୁ ଗିରଫ କରିଥିବା ବେଳେ ତାଠାରୁ ୧୧୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ଯାହାର ଆନୁମାନିକ ବଜାର ମୂଲ୍ୟ ୧୦ଲକ୍ଷ ୧୦ହଜାର ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି। ଏହାସହ ନଗଦ ୫୧୫୦ ଟଙ୍କା, ଗୋଟିଏ ମୋବାଇଲ ଫୋନ ଓ ମୋଟର ସାଇକେଲ ପୋଲିସ ଜବତ କରିଛି। ପୁରୀ ଜିଲ୍ଲାକୁ ଧଳା ଜହର ମୁକ୍ତ କରିବା ପାଇଁ ଏସପି କନୱର ବିଶାଳ ସିଂଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଏସପିଙ୍କ ତତ୍ତ୍ଵାବଧାନରେ ଏକ ଟିମ୍ ଗଠନ ହୋଇ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। ବୁଧବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସଦର ଏସଡିପିଓ କିଶୋର ଚନ୍ଦ୍ର ମୁଣ୍ଡ ଓ ଅତିରିକ୍ତ ଏସପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଏନେଇ ପ୍ରତିକ୍ରିୟା ରଖିଛନ୍ତି।