ଲାଞ୍ଚ ନେବା ଘଟଣା: ପୋଲିସ ଏସଆଇଙ୍କୁ ୫ବର୍ଷ ଜେଲ

ବାରିପଦା : ଜଣେ ପୋଲିସ ଏସଆଇଙ୍କ ଲାଞ୍ଚ ନେବା ଘଟଣାର ସ୍ଥାନୀୟ ସ୍ବତନ୍ତ୍ର ଦୁର୍ନୀତି ନିବାରଣ କୋର୍ଟ ପକ୍ଷରୁ ରାୟ ପ୍ରକାଶ ପାଇଛି । ପୋଲିସ ଏସଆଇଙ୍କୁ ୫ବର୍ଷର ସଶ୍ରମ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି କୋର୍ଟ । ଏବଂ ୪୦ହଜାର ଟଙ୍କା ଜରିମାନା ସହିତ ଜରିମାନା ଅନାଦେୟ ଅଧିକ ୧ବର୍ଷ ୨ମାସ ଅତିରିକ୍ତ କାରାଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସତନ୍ତ୍ର ବିଚାରପତି ଡ଼ଃ ପ୍ରସନ୍ନ କୁମାର ପଣ୍ଡା ଏହାର ବିଚାର କରି ଏସଆଇଙ୍କୁ ଦୋଷି ସାବ୍ୟସ୍ତ କରି ୫ ବର୍ଷ ଜେଲଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୁକ୍ତ ଏସଆଇ ଜଣଙ୍କ ହେଲେ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନାର ତତ୍କାଳୀନ ସବ ଇନିସ୍ପେକ୍ଟର ହୃଷିକେଶ ପଶ୍ଚିମକବାଟ । ସୂଚନା ଅନୂଯାୟୀ ଖୁଣ୍ଟା ଥାନାରେ ସାନବେଳାକୁଟି ଗ୍ରାମର ସଞ୍ଜିବ ପୁଥାଳଙ୍କ ସମେତ ପରିବାରର ୭ ଜଣଙ୍କ ବିରୋଧରେ ଏକ ଯୌତୁକ ନିର୍ୟ୍ୟାତନା ମାମଲା ରୁଜୁ ହୋଇଥିଲା। ଏହି ମାମଲରେ ଅଭିଯୁକ୍ତ ମାନଙ୍କୁ ଗିରଫ ନକରିବା ପାଇଁ ଏସଆଇ ହୃଷିକେଶ ସେହି ଅଭିଯୁକ୍ତ ମାନଙ୍କ ସପକ୍ଷରେ ଯିବାକୁ ଏସଆଇ ୨୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଧରାପଡିଥିଲେ । ତେବେ ମଙ୍ଗଳବାର ସ୍ଥାନୀୟ ସ୍ବତନ୍ତ୍ର ଦୁର୍ନୀତି ନିବାରଣ କୋର୍ଟ ପକ୍ଷରୁ ତାଙ୍କୁ ୫ ବର୍ଷ ଜେଲଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି ।