ଭୁବନେଶ୍ୱର:- ଶ୍ରୀମନ୍ଦିର ପରିସରରେ ଶିଶୁମାନଙ୍କ ପାଇଁ ହେବ ସ୍ତନ୍ୟପାନ ଗୃହ । ବିଶେଷକରି ସ୍ତନ୍ୟପାନ ଉପରେ ନିର୍ଭରଶୀଳ ଶିଶୁ ଓ ମା’ମାନଙ୍କ ପାଇଁ ବ୍ୟବସ୍ଥା କରାଯିବ । ଏନେଇ ସ୍ୱତନ୍ତ୍ର ଗୃହ ସ୍ଥାପନ ପାଇଁ ସ୍ଥାନ ନିରୁପଣ କରାଯାଇଥିବା ସୂଚନା ମିଳିଛି । ଶ୍ରୀମନ୍ଦିର ପରିସର ଶାଖା କାଯ୍ୟାଳୟ ନିକଟରେ ସ୍ତନ୍ୟପାନ ଗୃହ ପାଇଁ ନିଷ୍ପତ୍ତି ନିଆଯାଇଛି । ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ, ବିଦାୟୀ ଆରକ୍ଷୀ ଅଧୀକ୍ଷକ ପୀନାକ୍ ମିଶ୍ର, ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ, ବରିଷ୍ଠ ସୁପରଭାଇଜର୍ ବକ୍ସି ପ୍ରତିହାରୀ, ସହକାରୀ ପ୍ରଶାସିକା ଶୁଭଶ୍ରୀ ସୁଚୀସ୍ମିତା ଓ ଅନ୍ୟ ଅଧିକାରୀ ଏ ସମ୍ବନ୍ଧରେ ଆଲୋଚନା କରି ଏହି ସ୍ୱତନ୍ତ୍ର ଗୃହ ପାଇଁ ସ୍ଥାନ ନିରୂପଣ କରିଛନ୍ତି । ସ୍ତନ୍ୟପାନ ଗୃହ ପରିଚାଳନା ପାଇଁ ଜଣେ ସ୍ୱତନ୍ତ୍ର ମହିଳା ସହାୟିକା ରହିବେ । ମହିଳା ଭକ୍ତଙ୍କ ପ୍ରତି ଉତ୍ତରଦାୟିତ୍ବ ନିର୍ବାହ ପାଇଁ ଏହି ବ୍ୟବସ୍ଥା ତୁରନ୍ତ କାର୍ଯ୍ୟକାରୀ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ ଅରବିନ୍ଦ ପାଢ଼ୀ ।