ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ତାଜ ମହଲ ପ୍ୟାଲେସ୍ ହୋଟେଲକୁ ବୋମାରେ ଉଡ଼ାଇ ଦେବାକୁ ଧମକ
ମୁମ୍ବାଇ-: ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ତାଜ ମହଲ ପ୍ୟାଲେସ୍ ହୋଟେଲକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି । ମୁମ୍ବାଇ ବିମାନବନ୍ଦର ପୋଲିସ ପାଖକୁ ଏକ ଧମକପୂର୍ଣ୍ଣ ଇମେଲ୍ ଆସିଛି । ଏଥିରେ ଛତ୍ରପତି ଶିବାଜୀ ମହାରାଜ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରକୁ ବୋମାରେ ଉଡ଼ାଇଦେବା ପାଇଁ ଧମକ ମିଳିଛି । ଇମେଲରେ କୁହାଯାଇଛି ଯେ ତାଜ ମହଲ ପ୍ୟାଲେସ୍ ହୋଟେଲ ଏବଂ ଏୟାରପୋର୍ଟକୁ ବୋମାରେ ଉଡ଼ାଇ ଦିଆଯିବ । ଏଭଳି ଧମକପୂର୍ଣ୍ଣ ଇମେଲ୍ ଆସିବା ପରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରି ଦିଆଯାଇଛି । ସୁରକ୍ଷା ଏଜେନ୍ସି ବିମାନବନ୍ଦରରେ ସତର୍କ ରହିବା ସହ ଯାଞ୍ଚ ଆରମ୍ଭ କରି ଦେଇଛନ୍ତି । କୁହାଯାଉଛି ଯେ ଏହି ମେଲ୍ ଆତଙ୍କବାଦୀ ଅଫଜଲ୍ ଗୁରୁକୁ ଫାଶୀ ଦିଆଯିବାକୁ ନେଇ ଦିଆଯାଇଛି । ମୁମ୍ବାଇ ପୋଲିସ ମେଲ୍ କରିଥିବା ଲୋକକୁ ଟ୍ରେସ୍ କରିବା ପାଇଁ ଚେଷ୍ଟା କରୁଛି ।
ତେବେ ଆଜି ସକାଳେ, ଆଇଏସଆଇଏସ ପୁଣେ ସ୍ଲିପର ମଡ୍ୟୁଲ୍ସ ମାମଲାରେ ଫେରାର୍ ଥିବା ଦୁଇ ଆତଙ୍କବାଦୀଙ୍କୁ ମୁମ୍ବାଇ ବିମାନବନ୍ଦରରୁ ଗିରଫ କରାଯାଇଥିଲା । ଏନଆଇଏ ୨୦୨୩ ପୁଣେ ଆଇଇଡି ବିସ୍ଫୋରକ ତିଆରି ମାମଲାରେ ବିମାନବନ୍ଦରରୁ ଦୁଇଜଣ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀଙ୍କୁ ଗିରଫ କରିଥିଲା । ଏହା ଉଲ୍ଲେଖନୀୟ ଯେ ୨୨ ଏପ୍ରିଲରେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା । ଏହାର ଜବାବରେ ଭାରତ ସିନ୍ଦୂର ଅପରେସନ୍ ଆରମ୍ଭ କରିଥିଲା ଏବଂ ପାକିସ୍ତାନ ଏବଂ ପିଓକେରେ ୯ଟି ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିଥିଲା । ଏହି ଅପରେସନରେ ୧୦୦ ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ ।