ବାୟୁସେନାର ସ୍ମାର୍ଟ ଆଣ୍ଟି-ଟ୍ୟାଙ୍କ ଗାଇଡେଡ ବୋମା ପରୀକ୍ଷଣ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ରବିବାର ଦିନ ଭାରତୀୟ ବାୟୁସେନା ପକ୍ଷରୁ ମାତ୍ର ୪୫୦ କିଗ୍ରାର ଏକ ସ୍ମାର୍ଟ ଆଣ୍ଟି-ଟ୍ୟାଙ୍କ ଗାଇଡେଡ ବୋମା ସିବିୟୁ-୧୦୫ର ସଫଳ ପରୀକ୍ଷଣ କରାଯାଇଛି । ଏହାକୁ ରାଜସ୍ଥାନର ଜୟସଲମେର ସ୍ଥିତ ପୋଖରାଣ ରେଞ୍ଜରେ ପରୀକ୍ଷା କରାଯାଇଛି । ଭାରତୀୟ ବାୟୁସେନାର ଦୁଇଟି ଜାଗୁଆର ଲଢୁଆ ବିମାନରୁ ଏହାକୁ ନିକ୍ଷେପ କରାଯାଇଥିଲା, ଯାହାକି ସଠିକ ଭାବେ ନିଜର ଲକ୍ଷ୍ୟଭେଦ କରିଥିଲା ।
ଏହାର ଟାର୍ଗେଟ ଭାବେ କେତେକ ନମୁନା ଟ୍ୟାଙ୍କକୁ ରଖାଯାଇଥିଲା । ଏହି ଗାଇଡେଡ ବୋମାକୁ ଆମେରିକାର ଟେକ୍ସଟ୍ରନ ଡିଫେନ୍ସ ସିଷ୍ଟମ୍ସ ପକ୍ଷରୁ ଉତ୍ପାଦନ କରାଯାଏ । ପରୀକ୍ଷଣ ବେଳେ ଭାରତୀୟ ବାୟୁସେନାର ଅଧିକାରୀଙ୍କ ସହ ଟେକ୍ସଟ୍ରନର ଇଂଜିନିୟରମାନେ ମଧ୍ୟ ଉପସ୍ଥିତ ଥିଲେ। ଏହି ବୋମାର ଟେକନିକାଲ ନାମ ହେଉଛି ସିବିୟୁ-୧୦୫ ଓ ଏହାକୁ ଗ୍ଲୋବାଲ ପୋଜିସନିଂ ସିଷ୍ଟମ୍ସ (ଜିପିଏସ) ବ୍ୟବହାର କରି ନିକ୍ଷେପ କରାଯାଇଥାଏ । ଜିପିଏସ ବ୍ୟବହାର କରୁଥିବାରୁ ଏହା ନିର୍ଭୁଲଭାବେ ନିଜର ଲକ୍ଷ୍ୟ ଭେଦ କରିଥାଏ । ଏପିରିକି ଏହା ମେଘୁଆ ପାଗରେ ମଧ୍ୟ ନିଜର ଲକ୍ଷ୍ୟଭେଦ କରିଥାଏ ।