ବ୍ୟୁରୋ:- ବଲିଉଡ ଅଭିନେତା ତଥା ଖିଲାଡ଼ି କୁମାର ଅକ୍ଷୟ କୁମାରଙ୍କ ଆଜି ଜନ୍ମଦିନ । ୫୮ ବର୍ଷରେ ପାଦ ଥାପିଥିଲେ ହେଁ ଆଜି ବି ସେ ନିଜ ଯୌବନ ବଜାୟ ରଖିଛନ୍ତି । ଫିଟନେସ ପାଇଁ ସର୍ବଦା ଚର୍ଚ୍ଚାରେ ରହିଆସିଥିବା ଏହି ଅଭିନେତା ବର୍ତ୍ତମାନ ବି ନିଜର ଜଲୱା ଦେଖାଇ ଲୋକଙ୍କ ମନରେ ରାଜ କରୁଛନ୍ତି । ତେବେ ତାଙ୍କ ଜନ୍ମଦିନରେ ଛୁଟୁଛି ଶୁଭେଚ୍ଛାର ସୁଅ । ଅକ୍ଷୟ କୁମାର ମାଟୁଙ୍ଗାର ଡନ୍ ବୋସ୍କୋ ହାଇସ୍କୁଲରୁ ତାଙ୍କର ପ୍ରାରମ୍ଭିକ ଶିକ୍ଷା ଗ୍ରହଣ କରିଥିଲେ । ଏହା ପରେ ସେ କରାଟେ ଶିଖିବା ଆରମ୍ଭ କରିଥିଲେ । ସେ ପାଠପଢ଼ାରେ ଆଗ୍ରହୀ ନଥିଲେ ଏବଂ ମାର୍ଶାଲ୍ ଆର୍ଟ ଶିଖିବାକୁ ଚାହୁଁଥିଲେ । ସେ ଥାଇଲ୍ୟାଣ୍ଡ (ବ୍ୟାଙ୍କକ୍) ଯାଇ ଥାଇ ବକ୍ସିଂ ଶିଖିଥିଲେ । ଏହା ବ୍ୟତୀତ, ସେ ଟାଏକୋଣ୍ଡୋରେ ବ୍ଲାକ୍ ବେଲ୍ଟ ଥିଲେ । ତାଙ୍କ କ୍ୟାରିଅର ଆରମ୍ଭରେ ସେ ଜଣେ ରୋଷେୟା ଏବଂ ୱେଟର ଭାବରେ ମଧ୍ୟ କାମ କରିଥିଲେ ।

ଯେତେବେଳେ ଅକ୍ଷୟ ଭାରତ ଫେରିଲେ, ସେ ମାର୍ଶାଲ୍ ଆର୍ଟ ଶିଖାଇବା ଆରମ୍ଭ କଲେ । ଦିନେ ତାଙ୍କ ଛାତ୍ରଙ୍କ ବାପା ଅକ୍ଷୟଙ୍କୁ କହିଲେ ଯେ ଆପଣ ଲମ୍ୱା ଏବଂ ସୁନ୍ଦର ଦେଖାଯାଉଛନ୍ତି, ତେବେ ମଡେଲିଂ କାହିଁକି କରୁନାହାନ୍ତି । ଏହି କଥା ତାଙ୍କ ମନରେ ରହିଗଲା । ଏହା ପରେ, ସେ ମଡେଲିଂରେ ପାଦ ଦେଲେ ଏବଂ ଭଲ ରୋଜଗାର କରିବା ଆରମ୍ଭ କଲେ । ତା’ପରେ ସେ ଫଟୋଗ୍ରାଫର ଜୟେଶ ଶେଠଙ୍କ ପାଇଁ ସହାୟକ ଏବଂ ଲାଇଟମ୍ୟାନ୍ ଭାବରେ ମଧ୍ୟ କାମ କଲେ ଏବଂ ଫିଲ୍ମରେ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର ହେଲେ । ଏହା ପରେ ସେ ୧୯୯୧ରେ ‘ସୌଗନ୍ଧ‘ ଚଳଚ୍ଚିତ୍ର ମାଧ୍ୟମରେ ଡେବ୍ୟୁ କରିଥିଲେ, କିନ୍ତୁ ଏହି ଚଳଚ୍ଚିତ୍ର ତାଙ୍କୁ କୌଣସି ବିଶେଷ ପରିଚୟ ଦେଇ ନଥିଲା । ତା‘ପରେ ୧୯୯୨ ମସିହାରେ ‘ଖିଲାଡି‘ ଚଳଚ୍ଚିତ୍ର ତାଙ୍କୁ ସ୍ୱତନ୍ତ୍ର କରାଇବା ସହ ବେଶ ଲୋକପ୍ରିୟତା ମିଳିଥିଲା । ଏହା ପରେ ସେ ମେହରା, ହେରା ଫେରି, ସିଂହ ଇଜ କିଙ୍ଗ, ଏୟାରଲିପ୍ଟ, ଟୋଏଲେଟ ଭଳି ଅନେକ ଫିଲ୍ମରେ ଯାଦୁ ଦେଖାଇ ଦର୍ଶକଙ୍କ ମନ ଜିତିଛନ୍ତି ।
![]()