ଭୁବନେଶ୍ୱର: ଆଜି କଟକର ବୋଟ କ୍ଲବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ପ୍ଲାଟଫର୍ମରେ ଲୋକାର୍ପିତ କରିଛନ୍ତି। ମହାନଦୀରେ ଜଳକ୍ରିଡା ଓ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ଉଦେଶ୍ୟରେ ଏହାକୁ ଲୋକାର୍ପନ କରାଯାଇଛି । ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଓ ଓଡିଶା ପର୍ଯ୍ୟଟନ ସହାୟତାରେ ଏହି ବୋଟ କ୍ଲବ୍କୁନ ୨ କୋଟି ଟଙ୍କା ବିନିଯୋଗରେ ନବୀକରଣ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଜଳରାଶି ଅନ୍ତର୍ଭୁକ୍ତ ରାଜ୍ୟର ପର୍ଯ୍ୟଟନ ସମ୍ଭାବନାକୁ ସଂଯୋଗ କରିବା ପାଇଁ ଆମେ ଚିହ୍ନଟ କରିଥିବା ପର୍ଯ୍ୟଟନସ୍ଥଳୀଗୁଡ଼ିକର ଭିତ୍ତିଭୂମିର ବିକାଶ କରାଯାଉଛି। ମହାନଦୀର ଏହି ମନୋଜ୍ଞ ପରିବେଶରେ ମନୋରଞ୍ଜନ ଓ ଦୁଃସାହସିକ ଜଳକ୍ରୀଡ଼ା ଭିତ୍ତିକ ପର୍ଯ୍ୟଟନ ହବ୍ ପ୍ରତିଷ୍ଠା କରିବାରେ ସହାୟତା କରିବ।
ସାଇକ୍ଲୋନ୍ ଫନି ଦ୍ୱାରା ପ୍ରତିକୂଳ ପ୍ରଭାବିତ ଏହି ବୋଟ କ୍ଲବରେ ଭିତ୍ତିଭୂମି ଏକ ଫ୍ଲୋଟିଂ ଜେଟି, ଲାଇଫଗାର୍ଡ, ଟଏଲେଟ୍ କମ୍ପେ୍ଲକ୍ସ, ରେଷ୍ଟୁରାଣ୍ଟ ଏବଂ ପର୍ଯ୍ୟାପ୍ତ ପାର୍କିଂ ସ୍ଥାନ ଏବଂ ପିଲାମାନଙ୍କ ଖେଳ ପଡ଼ିଆ ସହିତ ଏକ ପାର୍କ ଅନ୍ତର୍ଭୁକ୍ତ କରିବା ପାଇଁ ନବୀକରଣ କରାଯାଇଛି। ଅତିରିକ୍ତ ଭାସମାନ ଜେଟି ଯୋଡିବା ପାଇଁ ଭିତ୍ତିଭୂମି ପର୍ଯ୍ୟାୟକ୍ରମେ ଆହୁରି ବୃଦ୍ଧି କରାଯିବ। ବୋଟ କ୍ଲବରେ କାର୍ଯ୍ୟକ୍ଷମ ହେବାକୁ ଥିବା କାର୍ଯ୍ୟକଳାପରେ ଜେଟ ସ୍କି, ସ୍ପିଡ୍ ବୋଟ, ଡେ କ୍ରୁଜ୍, ବାନାନା ବୋଟ, ଇନଫ୍ଲେଟେବୁଲ୍ ବୋଟ୍, ୱାଟର ସ୍କୁଟର, ଫ୍ଲୋଟିଂ କାଫେ, କାୟାକିଂ, କାନୋଇଙ୍ଗ, ପେଡାଲ୍ ବୋଟ୍, ସ୍କୁବା ଡାଇଭିଂକୁ ଅନ୍ତର୍ଭୁକ୍ତ କରାଯାଇଛି। ଏଥିରେ ଅପରେଟରମାନଙ୍କୁ ସାଧାରଣ ଭିତ୍ତିଭୂମି ଏବଂ ଉପଭୋକ୍ତା ଫି ମଡେଲରେ ପରିଚାଳନା କରିବାକୁ ଅନୁମତି ଦିଆଯିବ।
ଏହି ଅବସରରେ ସାଂସଦ ସୁବାସ ସିଂ ସିଲଭର ସିଟି କ୍ଲବରେ ରାତି ରହଣି ପାଇଁ ଅତିରିକ୍ତ ଗୃହ ନିର୍ମାଣ ଉପରେ ଗୁରୁତ୍ୱାରୋପ କରିଛନ୍ତି ଯାହା ବିଭିନ୍ନ କୋଣରୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ। ସେ କହିଛନ୍ତି, ରାଜ୍ୟର ସୁବର୍ଣ୍ଣ ତ୍ରିଭୁଜରେ କଟକ ସହରକୁ ସଂଯୋଗ କରାଗଲେ ତାହା ପର୍ଯ୍ୟଟକଙ୍କୁ କଟକ ଭ୍ରମଣର ସୁଯୋଗ ସୃଷ୍ଟି କରିବ। ସାଂସଦ ଭତୃହରି ମହତାବ ସାମୁଦ୍ରିକ ସଂଗ୍ରାହଳୟକୁ ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରରେ ଅନ୍ତର୍ଭୁକ୍ତ କରିବା ଏବଂ ନିକଟସ୍ଥ ଅନ୍ୟ ପର୍ଯ୍ୟଟନ ସ୍ଥାନଗୁଡ଼ିକର ସମ୍ଭାବନାକୁ ଅନୁସନ୍ଧାନ କରି ଭିତ୍ତିଭୁମିର ବିକାଶ କରିବା ପାଇଁ ଅନୁରୋଧ କରିଛନ୍ତି।