ଭୁବନେଶ୍ଵର: ଏଣିକି ଆଉ ଦାଦନ ଯିବେନି ରାଜ୍ୟର ଲୋକେ । ଦାଦନ ରୋକିବା ପାଇଁ ରାଜ୍ୟ ସରକାରଙ୍କ ବଡ଼ ବ୍ଲୁ ପ୍ରିଣ୍ଟ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ । ଯେଉଁ ରାଜ୍ୟକୁ ଦାଦନ ଯାଉଛନ୍ତି ସେହି ରାଜ୍ୟକୁ ଯିବ ଓଡ଼ିଶା ଟିମ୍ । କାହିଁକି ସେହି ରାଜ୍ୟକୁ ଦାଦନ ଯାଉଛନ୍ତି ଓଡିଶାର ଲୋକେ ସେନେଇ ସେହି ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବୁ । କାରଣ ଖୋଜାଯାଇ ନିରାକରଣ ବାହାର କରାଯିବ ।
ତେବେ ଧାନ କ୍ୱିଣ୍ଟାଲ ପିଛା ୮୦୦ ଟଙ୍କା ଇନ୍ପୁଟ୍ ସବସିଡି ଯୋଗୁଁ ଏବେ ଦାଦନ ସାମାନ୍ୟ କମିଛି । ଏହାକୁ ସମ୍ପୂର୍ଣ୍ଣ ରୋକିବାକୁ ବିଭିନ୍ନ ଦିଗ ଉପରେ ଚର୍ଚ୍ଚା ଆଲୋଚନା କରୁଛୁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ତେବେ ଆଜି ଲୋକସେବା ଭବନ ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଦାଦନ ରୋକିବାକୁ ନେଇ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ଅଧ୍ୟକ୍ଷତାରେ ବସିଥିଲା ଏକ ଗୁରୁତ୍ଵପୁର୍ଣ୍ଣ ବୈଠକ ।
ବୈଠକରେ ପଞ୍ଚାୟତିରାଜ ମନ୍ତ୍ରୀ, ଶ୍ରମମନ୍ତ୍ରୀ ଓ ଶିଳ୍ପ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । କେମିତି ଦାଦନ ଶ୍ରମିକ ସମସ୍ୟାକୁ ରୋକିହେବ, ଦାଦନ ରୋକିବାକୁ କଣ ପଦକ୍ଷେପ ନେବାର ଆବଶ୍ୟକତା ଅଛି, ବର୍ତ୍ତମାନ ଜରୁରୀକାଳୀନ ଭିତ୍ତିର କେଉଁ ପଦକ୍ଷେପ ନେବା ଆବଶ୍ୟକ ରହିଛି, ସେ ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଛି ।