ଅନୁଗୁଳ /ଜ୍ୟୋତିରଞ୍ଜନ ଧର: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକରେ ଦେଖା ଦେଇଛି କୋଭିଡ କଟକଣାର ଉଲ୍ଲଙ୍ଘନ । ବିଜିଗୋଳ ପଞ୍ଚାୟତ ଅଫିସ ପରିସରରେ ଥିବା ଭାରତ ନିର୍ମାଣ ରାଜିବଗାନ୍ଧୀ ସେବାକେନ୍ଦ୍ର ଠାରେ କୋଭିଡ ଟିକା ଦାନ ଅଭିଯାନ ଚାଲିଥିବା ବେଳେ ଏଭଳି ଘଟଣା ଦେଖିବାକୁ ମିଳିଛି । କୋରୋନା ଟିକା ନେବା ପାଇଁ ଆବେଦନ କରିଥିବା ଲୋକଙ୍କ ମଧ୍ୟରେ ଆଜି ପୂର୍ବାହ୍ନରେ ପ୍ରବଳ ଗହଳି ଲାଗି ରହିଥିଲା । ଏପରିକି ସେହି କେନ୍ଦ୍ରରେ ସାମାଜିକ ଦୂରତା ଡନଥିବା ବେଳେ ଏକାଧିକ ଲୋକଙ୍କ ମୁହଁରେ ନଥିଲା ମାସ୍କ । କଣିହାଁ ବ୍ଲକର ସମସ୍ତ ଟିକାଦାନ କେନ୍ଦ୍ରରେ ସମାନ ସ୍ଥିତି ଦୃଶ୍ୟମାନ ହେଉଥିଲେ ମଧ୍ୟ ଏଥିପ୍ରତି କାହାର ନିଘା ନାହିଁ । କରୋନା ମହାମାରୀକୁ ପ୍ରତିହତ କରିବାର ସଂକଳ୍ପ ଓ ମହତ ଉଦ୍ଦେଶ୍ୟ ରଖି ଏହି ଟିକାକରଣ ଅଭିଯାନ ଜାରୀ ରହିଛି । କିନ୍ତୁ ସମସ୍ତ କେନ୍ଦ୍ର ଗୁଡିକରେ ସାମାଜିକ ଦୂରତାକୁ ‘ଫୁ’ ହେଉଥିବା ଦେଖା ଯାଉଛି । ଫଳରେ ଏହା ଆଗାମୀ ଦିନରେ କରୋନା ସଂକ୍ରମଣ ରୋକିବା ପରିବର୍ତ୍ତେ ସଂକ୍ରମଣ ବୃଦ୍ଧିରେ ବେଶ ସହାୟକ ହେବାର ଆଶଙ୍କା ରହିଛି । ତେବେ ଏଥିପ୍ରତି ସ୍ଥାନୀୟ ବ୍ଲକ, ତହସିଲ ପ୍ରଶାସନ ଏବଂ ପୋଲିସ ପକ୍ଷରୁ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।