ରକ୍ତଦାନ କରି ନିଆରା ଜନ୍ମ ଦିନ ପାଳିଲେ ଯୁବ ସମାଜସେବୀ କାହ୍ନା ଖୁଣ୍ଟିଆ

ହିଞ୍ଜିଳିକାଟୁ/ରଜନୀକାନ୍ତ ପାତ୍ର : ସମୟ ବଦଳିବା ସହ ମଣିଷର ବିଚାର ଧିରେ ଧିରେ ପରବର୍ତ୍ତନ ହେବାରେ ଲାଗିଛି। ନିଜର ପରମ୍ପରା ଓ ଦାୟିତ୍ୱବୋଧକୁ ଭୁଲି ମଣିଷ ନିଜ ଜନ୍ମ ଦିନକୁ ପାଶ୍ଚାତ୍ୟ ପରମ୍ପରାରେ ପାଳନ କରୁଥିବା ନଜରକୁ ଆସୁଛି। ତେବେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ରାଳବ ଗ୍ରାମର ବାବୁ ଖୁଣ୍ଟିଆଙ୍କ ପୁତ୍ର କାହ୍ନା ଖୁଣ୍ଟିଆ ନିଆରା ଢଙ୍ଗରେ ଜନ୍ମ ଦିନ ପାଳନ କରି ପ୍ରେରଣା ସାଜିଛନ୍ତି। ସ୍ଥାନୀୟ ହିଞ୍ଜିଳିକାଟୁ ସ୍ୱୟଂ ଶାସିତ ବିଜ୍ଞାନ ମହାବିଦ୍ୟାଳୟରେ ଯୁକ୍ତ ୩ ବାଣିଜ୍ୟର ତୃତୀୟ ବର୍ଷରେ ଅଧୟନ କରୁଥିବା କାହ୍ନା ପଢାପଢି ସହ ସମାଜ ସେବାରେ ଅନବରତ ସେବା ଯୋଗାଇ ଆସୁଛନ୍ତି।

ପ୍ରତି ୩ମାସ ବ୍ୟବଧାନରେ ବର୍ତ୍ତମାନ ସୁଦ୍ଧା ୭ଥର ନିୟମିତ ଅସହାୟ ବ୍ୟକ୍ତିଙ୍କୁ ରକ୍ତଦାନ କରି ମାନବିକତାର ପରିଚୟ ଦେଇଛନ୍ତି।ସେଭଳି ଚଳିତବର୍ଷ ୧୯ତମ ଜନ୍ମ ଦିନ ଉପଲକ୍ଷେ ଭୁବନେଶ୍ୱର କେର୍ ହସ୍ପିଟାଲରେ ହୃଦରୋଗରେ ଚିକିତ୍ସିତ ହେଉଥିବା ବ୍ରହ୍ମପୁରର ଜଣେ ରୋଗୀକୁ ହିଞ୍ଜିଳିକାଟୁ ବ୍ଲକ୍ ରାଳବ ଗ୍ରାମରୁ ସୁଦୂର ଭୁବନେଶ୍ୱର ଯାଇ ରକ୍ତଦାନ କରି ଜୀବନ ବଞ୍ଚାଇବାରେ ସହାୟକ ହୋଇପାରିଛନ୍ତି।ତତ୍ ସହିତ କାହ୍ନା ବିପଦର ବନ୍ଧୁ ସ୍ବେଚ୍ଛାସେବୀ ସଂଗଠନରେ ନିଜକୁ ସାମିଲ୍ କରି ବିଭିନ୍ନ ସେବା କାର୍ଯ୍ୟ କରି ଅଞ୍ଚଳରେ ବେଶ୍ ପ୍ରଶଂସାର ପାତ୍ର ହୋଇପାରିଛନ୍ତି।ଏଭଳି ମହାନତା କାର୍ଯ୍ୟ ଯୁବପିଢି ମାନଙ୍କୁ ପ୍ରେରଣା ସାଜିବା ସହ ପଥଭ୍ରଷ୍ଟ ଯୁବସମାଜକୁ ନୂତନ ଦିଶା ଦେବାରେ ସହାୟକ ହୋଇପାରିବା ନେଇ ଆଶା ବ୍ୟକ୍ତି କରିବା ଦେଖିବାକୁ ମିଳୁଛି।