ତାମିଲନାଡୁ: ତାମିଲନାଡୁର କୃଷ୍ଣଗିରି ଜିଲ୍ଲାରେ ଏକ ବାଣ କାରଖାନାରେ ବିସ୍ଫୋରଣ । ଶନିବାର ଏହି ଦୁର୍ଘଟଣା ଘଟିଥିବା ବେଳେ ଦୁର୍ଘଟଣାରେ ତିନିଜଣ ମହିଳାଙ୍କ ସମେତ ଆଠ ଜଣଙ୍କର ମୃତ୍ୟୁ ଘଟିଛି। ଆଉ କେତେଜଣ ଆହତ ହୋଇଥିବା କଥା ପୁଲିସ କହିଛି। ବିସ୍ଫୋରଣ ଏତେ ତୀବ୍ର ଥିଲା ଯେ, ପାଖରେ ଥିବା ଗୋଟାଏ ହୋଟେଲ୍ ଭାଙ୍ଗିପଡ଼ିବା ସହିତ ଆଉ ୪ଟି କୋଠାଘର ମଧ୍ୟ ଆଂଶିକ ଭାଙ୍ଗିଯାଇଛି। ଗୁରୁତର ଆହତ ହୋଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିବା ୧୨ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା କଥା ପୁଲିସ କହିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥିରେ ଦୁଃଖ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ କ୍ଷତିପୂରଣ ଘୋଷଣା କରିଛନ୍ତି।
ଅମିତ ଶାହା ଟୁଇଟ୍ କରି କହିଛନ୍ତି ଯେ କୃଷ୍ଣଗିରିରେ ବାଣ କାରଖାନାର ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦାୟକ। ମୁଁ ମୃତକଙ୍କ ପରିବାର ସଦସ୍ୟଙ୍କୁ ମୋର ଗଭୀର ସମବେଦନା ଜଣାଉଛି ଏବଂ ଆହତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି। ଏଥି ସହ ଆହତ ଓ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।
ପିଏମ ମୋଦୀ କ’ଣ କହିଛନ୍ତି
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ତାମିଲନାଡୁର ବାଣ କାରଖାନାର ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦାୟକ। ମୋର ପ୍ରାର୍ଥନା ଏହି ସମୟରେ ପୀଡିତଙ୍କ ପରିବାର ସହିତ ଅଛି। ମୁଁ ଆହତମାନଙ୍କୁ ଶୀଘ୍ର ଆରୋଗ୍ୟ କାମନା କରୁଛି। ପ୍ରତ୍ୟେକ ମୃତକଙ୍କ ସମ୍ପର୍କୀୟଙ୍କୁ PMNRF ରୁ ୨ ଲକ୍ଷ ଟଙ୍କା ଏକ୍ସ-ଗ୍ରାଟିଆ ରାଶି ପ୍ରଦାନ କରାଯିବ । ଆହତମାନଙ୍କୁ ୫୦,୦୦୦ ଟଙ୍କା ସହାୟତା ପ୍ରଦାନ କରାଯିବ। ବିସ୍ଫୋରଣ ପରେ ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିବା ଦମକଳ ଓ ଉଦ୍ଧାରକାରୀ ଦଳ ନିଆଁ ଲିଭାଇବା ସହିତ ଘର ଭିତରେ ରହିଯାଇଥିବା ଲୋକମାନଙ୍କୁ ବାହାର କରିବାକୁ ଉଦ୍ୟମ କରୁଛନ୍ତି।