ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ୨୦୨୪ ଲୋକସଭା ନିର୍ବାଚନ ଲାଗି ପ୍ରସ୍ତୁତି ଆରମ୍ଭ କରାଯାଇଛି। ବିଜେପିର ରଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ଦଳର ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିବେ। ପୂର୍ବାଞ୍ଚଳର ୧୪୪ ଲୋକସଭା ଆସନ ଜିତିବା ଲାଗି ରଣନୀତି ପ୍ରସ୍ତୁତ କରାଯିବ। ତେବେ ଗତ ସାଧାରଣ ନିର୍ବାଚନରେ ବିଜେପି ଏକ ମାର୍ଜିନ ବ୍ୟବଧାନରେ ବଞ୍ଚିତ ହୋଇଥିଲା। ତେବେ ଏହି ଲୋକସଭା ଆସନ ଗୁଡିକ ବିଭିନ୍ନ ଗୋଷ୍ଠୀରେ ବିଭକ୍ତ କରାଯାଇଛି। ପ୍ରତ୍ୟେକ ଗୋଷ୍ଠୀରେ ଜଣେ ଜଣେ କେନ୍ଦ୍ର ମନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯିବ। ପଶ୍ଚିମବଙ୍ଗ, ତେଲେଙ୍ଗାନା, ମହାରାଷ୍ଟ୍ର, ପଞ୍ଜାବ ଏବଂ ଉତ୍ତର ପ୍ରଦେଶ ସମେତ ବିଭିନ୍ନ ରାଜ୍ୟର ସମସ୍ତ ଲୋକସଭା ଓ ବିଧାନସଭା ନିର୍ବାଚନମଣ୍ଡଳୀ ପରିଦର୍ଶନ କରିବା ଏବଂ ରାଜନୈତିକ ପରିସ୍ଥିତିର ଆକଳନ ପାଇଁ ନେତାମାନଙ୍କୁ ପଠାଯାଇଛି। ଏହାଛଡା ସମ୍ଭାବ୍ୟ ପ୍ରାର୍ଥୀ ଚିହ୍ନଟ ପାଇଁ ଦାୟିତ୍ୱ ମଧ୍ୟ ଦିଆଯାଇଛି।
ବିଜେପି ମୁଖ୍ୟାଳୟରେ ଅନୁଷ୍ଠିତ ହୋକୁଥିବା ବୈଠକରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ, ଧର୍ମେନ୍ଦ୍ର ପ୍ରଧାନ, ଭୁପେନ୍ଦ୍ର ଯାଦବ, ନରେନ୍ଦ୍ର ସିଂ ତୋମାର, ସ୍ମୃତି ଇରାନୀ, ଅନୁରାଗ ଠାକୁର, ମନସୁଖ ମାଣ୍ଡଭିଆ, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମେତ ଦଳର ବରିଷ୍ଠ ନେତାମାନେ ଯୋଗଦେବେ। ମନ୍ତ୍ରୀମାନେ ସମ୍ପୃକ୍ତ ନିର୍ବାଚନମଣ୍ଡଳୀ ସମ୍ପର୍କରେ ବିସ୍ତୃତ ରିପୋର୍ଟ ଉପସ୍ଥାପନ କରିବେ। ସୂଚନା ଅନୁସାରେ ମନ୍ତ୍ରୀମାନେ ପ୍ରାୟ ସମସ୍ତ ନିର୍ବାଚନମଣ୍ଡଳୀ ପରିଦର୍ଶନ କରି ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଛନ୍ତି। ସମ୍ପୃକ୍ତ ନିର୍ବାଚନମଣ୍ଡଳୀରେ ଦଳର ସ୍ଥିତିକୁ ବିଶ୍ଳେଷଣ କରିଛନ୍ତି ଏବଂ ୨୦୨୪ ସାଧାରଣ ନିର୍ବାଚନରେ ଦଳର ବିଜୟ ନିଶ୍ଚିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଚିହ୍ନଟ କରିଛନ୍ତି। ଦଳ ପକ୍ଷରୁ ସମ୍ପୃକ୍ତ ନିର୍ବାଚନମଣ୍ଡଳୀ ଲାଗି ଦଳ ପକ୍ଷରୁ ବିସ୍ତୃତ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି।