ବିଜେପିକୁ ଘାରିଲାଣି ଚିନ୍ତା !

ଆଗକୁ ଆସିୁଛି ପଞ୍ଚାୟତ ନିର୍ବାଚନ । ହେଲେ ଏବେ ଠାରୁ ଯାଜପୁରର କିଛି ନିର୍ବାଚନ ମଣ୍ଡଳୀରେ, ବିଜେପିର ମୁଣ୍ଡ ବିନ୍ଧା ହେଲାଭଳି ପରିସ୍ଥିତି ଉପୁଜିବାର ଆକାଳନ ହେଲାଣି । ସେଠାରୁ ଦଳ ୨୦୨୪ ନିର୍ବାଚନରେ ଆସନ ହାତେଇଛି ସତ । ହେଲେ ରାଜ୍ୟରେ ବିଜେପି ସରକାର ଗଢିବାର ୧୭ ମାସ ଭିତରେ, ଦଳ ଯେଉଁଭଳି ସୁଦୃଢ ହେବାର ଆକଳନ କରିଥିଲା । ସେମିତି ସେଠାରେ କିଛି ବି ହୋଇନି ।

କେବେ ଯାଜପୁରକୁ ବିଜେଡିର ଗଡ କୁହାଯାଉଥିଲା । କିନ୍ତୁ ୨୦୨୪ ନିର୍ବାଚନରେ, କିଛି ଭିନ୍ନ ଦେଖିବାକୁ ମିଳିଥିଲା । ଆଉ ଶଙ୍ଖ ଧ୍ୱନିରେ କମ୍ପୁଥିବା ଯାଜପୁରରେ ବି ପଦ୍ମ ଫୁଟିଥିଲା । ଅର୍ଥାତ ୭ଟି ଆସନରେ ବସିଥିବା ବିଜେଡି ହାତରୁ, ସିଧା ୪ଟି ଆସନ ଖସି ଯାଇଥିଲା । ଯେଉଁଥିରୁ ବିଜେପି ହାତକୁ ବଡଚଣା, କୋରେଇ ଓ  ସୁକିନ୍ଦା ଭଳି ୩ଟି ଆସନ ଯାଇଥିବା ବେଳେ, ଧର୍ମଶାଳାରେ ସ୍ୱାଧିନ ପ୍ରାର୍ଥୀ ହିମାଂଶୁ ସାହୁଙ୍କର ବିଜୟ ହୋଇଥିଲା । ଯେଉଁ ଧର୍ମଶାଳା ଅଫିସିଆଲି ନହେଲେ ବି, ନନ-ଅଫିସିଆଲି ବିଜେପି ହାତକୁ ହିଁ ଯାଇଥିଲା । କାରଣ ସବୁଜ ଧର୍ମାଶଳାକୁ ଗେରୁଆମୟ କରିବାରେ ଓ ଯାଜପୁରର ବିଭିନ୍ନ ସ୍ଥାନରେ ବିଜେଡିକୁ ଭାଙ୍ଗିବାରେ, ବିଧାୟକ ହିମାଂଶୁଙ୍କର ରହିଛି ସବୁଠାରୁ ବଡ ଅବଦାନ ।

ଏହାଭିତରେ ନିର୍ବାଚନକୁ ୧୭ ମାସ ପୁରିଲାଣି । ହେଲେ ଯାଜପୁରରେ କେବଳ ଧର୍ମଶାଳା ଓ ବଡଚଣାକୁ ଛାଡିଦେଲେ, କୋରେଇ ଓ ସୁକିନ୍ଦାରେ ଦଳ ଦୁର୍ବଳ ହେଉଥିବା ନେଇ ଚର୍ଚ୍ଚା ହେଲାଣି । ଏମିତି କି ମନ୍ତ୍ରୀ ପଦ ପାଇଥିବା ସୁକିନ୍ଦାରେ ବି ପ୍ରଦୀପ ବଳସାମନ୍ତଙ୍କର ସେମିତି କିଛି ଦବଦବା ଆଖିକୁ ଦିଶୁନି । ସେହିଭଳି କୋରେଇ ନିର୍ବାଚନ ମଣ୍ଡଳୀରେ ବି ସମାନ ପରିସ୍ଥିତି । ଗୋଟେପଟେ ପଞ୍ଚାୟତ ନିର୍ବଚନ ପାଇଁ ତୃଣ ମୂଳ ସ୍ତରରେ ସଂଗଠନ ସଜାଡୁଛି ବିଜେପି । ଧର୍ମଶାଳାରେ ହିମାଂଶୁଙ୍କ ନେତୃତ୍ୱରେ ବିଜେପି ଆଗକୁ ବଢୁଛି । ଏମିତି କି ଦଳ ଧର୍ମଶାଳାରେ ବ୍ଲକ ଅଧ୍ୟକ୍ଷ ପଦ ବି ହାତେଇଛି । ଯାହା ପରେ ପରେ ଧର୍ମଶାଳା ସହିତ ବରୀ ଓ ବଡଚଣା ବ୍ଲକ୍ ଅଧ୍ୟକ୍ଷ ବି ବିଜେପି ଖାତାକୁ ଆସିଥିଲା  । ହେଲେ ମନ୍ତ୍ରୀ ପଦ ପାଇବା ପରେ ବି, ସୁକିନ୍ଦା କିନ୍ତୁ ଅନେକ ପଛରେ । କାହିଁକି ନା ଏବେ ବି ସୁକିନ୍ଦା ଓ ଦାନଗଡି ବ୍ଲକ ଅଧ୍ୟକ୍ଷ ପଦ ବିଜେଡି ପାଖରେ ।