ରାଞ୍ଚି: ବିମାନବନ୍ଦର ନିୟମ ଭାଙ୍ଗିବା ଅଭିଯୋଗରେ ଝାଡଖଣ୍ଡ ପୁଲିସ ପକ୍ଷରୁ ୯ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି। ସେମାନଙ୍କ ମଧ୍ୟରେ ବିଜେପି ସାଂସଦ ନିଶିକାନ୍ତ ଦୁବେ, ମନୋଜ ତିୱାରୀ, ନିଶିକାନ୍ତଙ୍କ ଦୁଇ ପୁଅ ଏବଂ ବିମାନବନ୍ଦର ନିର୍ଦ୍ଦେଶକଙ୍କ ନାମରେ ମାମଲା ରୁଜୁ କରାଯାଇଛି। ରାତିରେ ବିମାନ ଉଡାଣ କିମ୍ବା ଅବତରଣ ଲାଗି ଦେଓଘର ବିମାନବନ୍ଦରରେ ସୁବିଧା ନାହିଁ। କିନ୍ତୁ ଏହା ସତ୍ତେ୍ୱ ବିମାନ ଉଡାଣ ଲାଗି ସାଂସଦମାନେ ଟ୍ରାଫିକ କଣ୍ଟ୍ରୋଲ ଉପରେ ଚାପ ପକାଇଥିଲେ। ଆଉ ଚାଟାର୍ଡ ପ୍ଲେନରେ ସମସ୍ତେ ଦିଲ୍ଲୀ ଯାତ୍ରା କରିଥିଲେ। ସୂଚନା ଅନୁସାରେ ଅଗଷ୍ଟ ୩୧ ତାରିଖ ସନ୍ଧ୍ୟାରେ ଦୁଇ ବିଜେପି ସାଂସଦ ଓ ଅନ୍ୟ ଯାତ୍ରୀମାନେ ଦେଓଘର ବିମାନବନ୍ଦରରେ ପହଞ୍ଚିଥିଲେ। ସମସ୍ତେ ବିମାନ ଭିତରକୁ ଗଲେ ଏବଂ ବିମାନ ଗେଟ ବନ୍ଦ ହୋଇଗଲା। କିଛି ସମୟ ପରେ ପାଇଲଟ ବମାନର ଗେଟ ଖୋଲି ଏଟିସି ଆଡକୁ ଗଲେ। ଏଟିସି କଣ୍ଟ୍ରୋଲ ରୁମର ପାଇଲଟ ବିମାନ ଉଡାଣ ପାଇଁ ଅନୁମତି ମାଗିଥିଲେ। କିଛି ସମୟ ପରେ ଉଭୟ ସାଂସଦ ଏବଂ ଅନ୍ୟ ଯାତ୍ରୀମାନେ ମଧ୍ୟ ଏଟିସି କଣ୍ଟ୍ରୋଲ ରମରେ ପହଞ୍ଚିଥିଲେ। ସାଂସଦମାନେ ଚାପ ପକାଇ ଏଟିସିରୁ କ୍ଲିୟରାନ୍ସ ଆଣିଥିଲେ। ସୁମନ ଅନାନଙ୍କ ଅଭିଯୋଗ କ୍ରମେ କୁଣ୍ଡା ପୁଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଥିଲା। ଅନ୍ୟ ପକ୍ଷରେ ସାଂସଦ ନିଶିକାନ୍ତ ଦୁବେ ଦେଓଘରର ଡେପୁଟି କମିଶନରଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି। ଦିଲ୍ଲୀ ପୁଲିସ ପକ୍ଷରୁ ଦେଓଘର ଡିସିଙ୍କ ବିରୁଦ୍ଧରେ ୧୨୪ବି ୩୫୩, ୧୨୦ବି, ୪୪୧, ୪୪୮, ୨୦୧, ୫୦୬ ଏବଂ ଅଫିସିଆଲ ସିକ୍ରେଟ ଆକ୍ଟର ଧାରା ୨/୨ ଅନୁଯାୟୀ ପଞ୍ଚିକୃତ କରାଯାଇଥିବା ଶ୍ରୀ ଦୁବେ ନିଜ ଟ୍ୱିଟର ମାଧ୍ୟମରେ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ବିଜେପିର ଏକ ପ୍ରତିନିଧି ଦଳ ଅଗଷ୍ଟ ୩୧ ତାରିଖରେ ଦୁମକା ପୀଡିତା ଅଙ୍କିତାକୁ ଭେଟିବାକୁ ଯାଇଥିଲେ। ଏହି ପ୍ରତିନିଧି ଦଳରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଓ ମନୋଜ ତିୱାରୀଙ୍କ ସମେତ ଅନେକ ଲୋକ ରହିଥିଲେ। ଦୁମକା ପୀଡିତାଙ୍କୁ ଭେଟିବା ପରେ ସମସ୍ତେ ସନ୍ଧ୍ୟା ୫.୧୫ରେ ଦେଓଘର ବିମାନବନ୍ଦରରେ ପହଞ୍ଚି ଚାଟାର୍ଡ ପ୍ଲେନରେ ବସିଥିଲେ। ବିମାନ ଉଡାଣ ଲାଗି ଏଟିସି ଅନୁମତି ଦେଇନଥିଲା। ପରେ ଏଟିସି ଠାରୁ ଜବରଦସ୍ତି ଅନୁମତି ନେଇ ଦିଲ୍ଲୀ ଯାତ୍ରା କରିଥିଲେ।