ୱାଇନାଡକୁ ନେଇ ବିଜେପି ନେତାଙ୍କ ଅସମ୍ବେଦନଶୀଳ ବୟାନ

ପ୍ରକୃତିର ତାଣ୍ଡବରେ କେରଳର ୱାଇନାଡରେ ୩୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଥିବା ସରକାରୀ ସ୍ତରରେ ସ୍ପଷ୍ଟ ହୋଇଛି । ଏହାକୁ ନେଇ ଦେଶବ୍ୟାପୀ ଖେଳିଯାଇଛି ଶୋକର ଛାୟ।। ଏପରି ସମୟରେ ବିଜେପିର ଜଣେ ନେତା ଦେଇଛନ୍ତି ବିବାଦୀୟ ବୟାନ । ଗୋ ହତ୍ୟା ପାଇଁ ରାଜ୍ୟକୁ ଏମିତି ବିପର୍ଯ୍ୟୟର ସାମ୍ନା କରିବାକୁ ପଡିଛି ବୋଲି କହିଛନ୍ତି ବିଜେପି ନେତା । ବିଜେପି ନେତା ଜ୍ଞାନଦେବ ଆହୁଜା କହିଛନ୍ତି କି, କେରଳରେ ଗୋହତ୍ୟା କରାଯାଏ । ତେଣୁ ଏମିତି ପ୍ରାକୃତି ଖେଳାଇଛି ତାଣ୍ଡବ । ସେ ଆହୁରି କହିଛନ୍ତି କି, ଉତ୍ତରାଖଣ୍ଡ ଓ ହିମାଚଳରେ ନିୟମିତ ଭୂସ୍ଖଳନ ହୁଏ, ବାଦଳ ଫାଟେ, କିନ୍ତୁ ୱାଇନାଡ ପରି ସ୍ଥିତି ହୁଏ ନାହିଁ ।
ବିଜେପି ନେତାଙ୍କ ଏପରି ଅସମ୍ବେଦନଶୀଳ ବୟାନ ଅନେକଙ୍କୁ ନାପସନ୍ଦ ହୋଇଛି । କାରଣ କେରଳରେ ଜୁଲାଇ ୩୦ରେ ହୋଇଥିବା ଭୟଙ୍କର ଭୂସ୍ଖଳନରେ ୩୫୦ ଜଣଙ୍କ ମୃତଦେହ ଉଦ୍ଧାର ହୋଇସାରିଲାଣି । ଏବେ ମଧ୍ୟ ୪୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ଘଟଣାକୁ ୪ ଦିନ ଅତିବାହିତ ହୋଇଥିଲେ ମଧ୍ୟ ଉଦ୍ଧାର କାମ ଜାରି ରହିଛି । ପ୍ରାୟ ୮୦୦ରୁ ଅଧିକ ଉଦ୍ଧାରକାରୀ ଏହି କାମରେ ନିୟୋଜିତ ହୋଇଛନ୍ତି । ୪ଟି ଗାଁ ନିଶ୍ଚିହ୍ନ ହୋଇଯିବା ସହ ଘଟଣାସ୍ଥଳଠାରୁ ପ୍ରାୟ ୮ କିଲୋ ମିଟର ପର୍ଯ୍ୟନ୍ତ ପାହାଡରୁ ଆସୁଥିବା ମାଡି, ପଥର ବିଛାଇ ହୋଇ ରହିଛି ।