ବିଜେଡି ଦୁର୍ନୀତି ସିବିଆଇ ତଦନ୍ତ କରାଯାଉ : ବିଜେପି ଓ କଂଗ୍ରେସ

(ସୈାମ୍ୟ ରଞ୍ଜନ ବିଶ୍ୱାଳ) :ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତଙ୍କ ବାଣରେ ଏବେ ଘାଇଲା ହୋଇଛି ବିଜୁ ଜନତା ଦଳ । ଚାରା, ସମବାୟ, ଓମ୍ଫେଡ୍ ପରି ଅନେକ କଥା ଉଠାଇ ବିଜେଡି କରିଥଥିବା ଦୁର୍ନୀତିର ପୋଲ୍ ଖୋଲିଥିଲେ ଦାମ । ସେଥିପାଇଁ ତାଙ୍କୁ ଦଳରୁ ମଧ୍ୟ ବହିଷ୍କାର କରିଥିଲେ ସୁପ୍ରିମୋ ନବୀନ ପଟ୍ଟନାୟକ। ହେଲେ ଯେଉଁ ନେତା ଓ ପ୍ରଶାସକଙ୍କ ନାଁରେ ଅଭିଯୋଗ ଆଣିଥିଲେ ଦାମ , ତାଙ୍କ କଥା ଉଠିବା ବେଳକୁ ମୁଖ୍ୟମନ୍ତ୍ରୀ କାହିଁକି ଅଜବ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ଏମିତିକି ବିଧାନସଭାରେ ଚାରା ଦୁର୍ନୀତି କଥାକୁ କୃଷି ମନ୍ତ୍ରୀ ସ୍ୱୀକାର କରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନୀରବଦ୍ରଷ୍ଟା ସାଜିଛନ୍ତି କାହିଁକି । ଜଣେ ଦୁର୍ନୀତି ହେଉଛି ବୋଲି କହିବାରୁ ତାକୁ ଦଳରୁ ବହିଷ୍କାର କରାଗଲା କିନ୍ତୁ ଯେ ଦୁର୍ନୀତି କରୁଛି ତାକୁ କାହିଁକି ମୁଖ୍ୟମନ୍ତ୍ରୀ ଘଣ୍ଟ ଭୋଡାଇ ରଖିଛନ୍ତି । ଏନେଇ ସମସ୍ତ ରାଜନୀତି ମହଲରୁ ଚର୍ଚ୍ଚା ଜୋର ଧରିଛି ।

ଏହି ଘଟଣାକୁ ନେଇ ବିଜେଡି ଉପରେ ବର୍ସିଛି ବିଜେପି । ଯେଉଁମାନଙ୍କ ବିରୋଧରେ କୋଟି କୋଟି ଟଙ୍କାର ଘୋଟାଲା ହୋଇଛି, ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉନି ବୋଲି କହିଛନ୍ତି ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ୟ୍ୟ । ଶ୍ର୍ରୀ ଆଚାର୍ଯ୍ୟ ଏହା ମଧ୍ୟ କହିଛନ୍ତ ଯେ ଯଦି ଏହି ଘୋଟାଲାର ତଦନ୍ତ ନବୀନବାବୁ ନିଜଆଡ଼ୁ ସିବିଆଇକୁ ନଦିଅନ୍ତି, ତାହାହେଲେ ବିଜେପି ରାଜରାସ୍ତାକୁ ଓହ୍ଲାଇବ ଓ ଆଇନ୍ର ଆଶ୍ରୟ ନେବ।

ଏହି ସବୁ ଦୁର୍ନୀତିର ଫର୍ଦା ଫାସ୍ କରିବା ପାଇଁ କଂଗ୍ରେସ ମଧ୍ୟ ଦାବି କରିଛି । ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି-“ଚାରା ଘୋଟାଲା ଓ ସମବାୟ ଦୁର୍ନୀତି କଥା ଉଭୟ ମନ୍ତ୍ରୀ ସ୍ୱୀକାର କରିଛନ୍ତି। ଏହା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ କହିଲେ, ଅଭିଯୋଗ ହାସ୍ୟାସ୍ପଦ ଓ ଏଥିରେ କୌଣସି ସତ୍ୟତା ନାହିଁ। ତାହାହେଲେ ଏହା ଏ ରାଜ୍ୟର ଦୁର୍ଭାଗ୍ୟ।”

ଏହାକୁ ଖଣ୍ଡନ କରି ବିଜେଡି ମୁଖପାତ୍ର ପ୍ରତାପ ଦେବ ନିଜର ପ୍ରତିକ୍ରିୟରେ କହିଛନ୍ତି ଯେ -“ଦୁର୍ନୀତି ନେଇ ବିଧାନସଭାରେ ଆଲୋଚନା ହୋଇଛି। ମୁଖ୍ୟମନ୍ତ୍ରୀ ମଧ୍ୟ ଶୁଣିଛନ୍ତି। ଓଡ଼ିଶାର ଲୋକ ମଧ୍ୟ ଶୁଣୁଛନ୍ତି। ଆଉ ତା’ ବିଷୟରେ ସବୁ ପଦକ୍ଷେପ ସରକାର ନେବେ।”