ଦଳ ବିରୋଧୀ କାର୍ଯ୍ୟରେ BJDର ବଡ଼ କାର୍ଯ୍ୟାନୁଷ୍ଠାନ, ବ୍ରହ୍ମଗିରି କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା ସରୋଜିନୀ ତରାଇ ନିଲମ୍ବିତ

ଭୁବନେଶ୍ୱର: ଦଳ ଶିସ୍ଟାଚାର ଭଙ୍ଗ ଓ ଦଳ ବିରୋଧୀ କାର୍ଯ୍ୟକଳାପକୁ ନେଇ ପୁଣିଥରେ ବିଜୁ ଜନତା ଦଳ (BJD) ସୁପ୍ରିମୋ ନବୀନ ପଟ୍ଟନାୟକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସରୋଜିନୀ ତରାଇଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟରେ ଜଡିତ ଥିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏ ନେଇ ବିଜେଡି ଉପସଭାପତି ପ୍ରତାପ ଜେନାଙ୍କ ଦସ୍ତଖତରେ ଏକ ଆଧିକାରିକ ନୋଟିସ ଜାରି କରାଯାଇଛି।

ନୋଟିସରେ କୁହାଯାଇଛି ଯେ, ସରୋଜିନୀ ତରାଇଙ୍କ ନିଲମ୍ବନ ତୁରନ୍ତ କାର୍ଯ୍ୟକାରୀ ହେବ। ଦଳର ନିୟମ ଓ ଶିସ୍ଟାଚାର ବିରୋଧରେ କୌଣସି ପ୍ରକାର କାର୍ଯ୍ୟକଳାପକୁ ବିଜେଡି କଦାପି ସହିବ ନାହିଁ ବୋଲି ମଧ୍ୟ ଦଳ ସ୍ପଷ୍ଟ ସନ୍ଦେଶ ଦେଇଛି। ଉଲ୍ଲେଖନୀୟ ଯେ, ଏହା ପୂର୍ବରୁ ମଧ୍ୟ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଅରବିନ୍ଦ ମହାପାତ୍ର ଓ ସନାତନ ମାହକୁଡଙ୍କୁ ନବୀନ ପଟ୍ଟନାୟକ ନିଲମ୍ବନ କରିଥିଲେ। ଲଗାତାର ଏପରି କାର୍ଯ୍ୟାନୁଷ୍ଠାନ ବିଜେଡିରେ ଶିସ୍ଟାଚାର କଠୋର ଭାବେ ଲାଗୁ ହେଉଥିବାର ସଙ୍କେତ ଦେଉଛି।