ମାନସ ମଙ୍ଗରାଜ ଓ ସୁଲତା ଦେଓଙ୍କୁ ଗୁରୁ ଦାୟିତ୍ୱ ଦେଲେ ବିଜେଡି ସୁପ୍ରିମୋ

ମାନସ ମଙ୍ଗରାଜ ଓ ସୁଲତା ଦେଓଙ୍କୁ ଗୁରୁ ଦାୟିତ୍ୱ ଦେଲେ ବିଜେଡି ସୁପ୍ରିମୋ । ରାଜ୍ୟସଭାରେ ସଂସଦୀୟ ଦଳ ନେତା ପଦରେ ସାଂସଦ ମାନସ ମଙ୍ଗରାଜଙ୍କୁ ନିଯୁକ୍ତି କରିଥିବା ବେଳେ ସୁଲତା ଦେଓଙ୍କୁ ଉପନେତା ଦାୟିତ୍ୱ ଦିଆଯାଇଛି । ଏହି ପଦ ପାଇଁ ନବ ନିର୍ବାଚିତ ସାଂସଦ ସନ୍ତୃପ୍ତ ମିଶ୍ରଙ୍କ ନାଁ ଚର୍ଚ୍ଚାରେ ରହିଥିଲା । କିନ୍ତୁ ଏବେ ସବୁ ଚର୍ଚ୍ଚାରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପୂର୍ଣ୍ଣଛେଦ ପକାଇଛନ୍ତି । ମାନସ ଓ ସୁଲତାଙ୍କ ଚୟନକୁ ଅନୁମୋଦନ ଦେଇ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ବିଜେଡି ସଭାପତି ।

କିଛି ଦିନ ତଳେ ବିଜେଡି ସାଂସଦ ତଥା ବରିଷ୍ଠ ନେତା ସସ୍ମିତ ପାତ୍ର ରାଜ୍ୟସଭାରେ ଦଳର ସଂସଦୀୟ ନେତା ପଦରୁ ଇସ୍ତଫା ଦେଇଥିଲେ । ପରେ ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ଏହି ଇସ୍ତଫାକୁ ଗ୍ରହଣ କରିଥିଲେ । ତେବେ ସସ୍ମିତ ପାତ୍ରଙ୍କ ଇସ୍ତଫା ପରେ ଖାଲି ପଡିଥିବା ପଦବୀ ପୂରଣ ପାଇଁ ବିଜେଡି ନୂଆ ଘୋଷଣା କରିଛି । ସୋମବାର ଦିନ ବିଜେଡି ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଯେଉଁଥିରେ ମାନସ ମଙ୍ଗରାଜଙ୍କୁ ବିଜେଡି ସଂସଦୀୟ ଦଳ ନେତା ଦାୟିତ୍ୱ ଦିଆଯାଇଛି । ଏହାସହିତ ସାଂସଦ ସୁଲତା ଦେଓକୁ ବିଜେଡି ସଂସଦୀୟ ଦଳ ଉପନେତା ସହ ମୁଖ୍ୟ ସଚେତକର ଦାୟିତ୍ୱ ମିଳିଛି ।