ଭୁବନେଶ୍ୱର: ଆଜି ସକାଳ ୮ଟାରୁ ଆରମ୍ଭ ହୋଇଯାଇଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତି। ପ୍ରଥମ ଦିନରେ ରାଜ୍ୟର ୩୧୫ଟି ଜିଲ୍ଲା ପରିଷଦ ଜୋନରେ ଭୋଟ୍ ଗଣତି ହେବ। ଭୋଟ ବାକ୍ସରେ ରହିଛି ୨ ଲକ୍ଷ ୧୯ ହଜାର ୯୮୬ ପ୍ରାର୍ଥୀଙ୍କ ଭାଗ୍ୟ । ୧ ଲକ୍ଷ ୫୬ ହଜାର ୭୫୩ ୱାର୍ଡ ମେମ୍ବର, ୩୨, ୮୬୦ ସରପଞ୍ଚ, ୨୭, ୩୪ ସମିତି ସଭ୍ୟ ଓ ୩ ହଜାର ୩୩୯ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭାଗ୍ୟର ଆଜି ପରୀକ୍ଷା ଫଳାଫଳ ସାମ୍ନାକୁ ଆସିବ। ପ୍ରତ୍ୟେକ ବ୍ଲକ ହେଡ କ୍ୱାର୍ଟରରେ ହେଉଛି ଗଣତି। ତିନି ଦିନ ଧରି ଚାଲିବ ଏହି ପ୍ରକ୍ରିୟା। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ସମସ୍ତ ପର୍ୟ୍ୟାୟ ଭୋଟିଂ ଶେଷ ହୋଇଛି । ଏବେ ଷ୍ଟ୍ରଙ୍ଗ ରୁମ ଭିତରେ ଭୋଟ ବାକ୍ସ ମଧ୍ୟରେ ପ୍ରାର୍ଥୀମାନଙ୍କ ଭାଗ୍ୟ ସିଲ୍ ହୋଇ ରହିଛି । ଷ୍ଟ୍ରଙ୍ଗରୁମର ସିଲ୍ ଖୋଲାଯିବା ପରେ ଗଣନା କାର୍ୟ୍ୟ ଆରମ୍ଭ ହୋଇଛି। ୨୬, ୨୭ ଓ ୨୮ ତାରିଖ ଭୋଟ ଗଣତି ହେବାକୁ ଥିବା ବେଳେ ପ୍ରଥମ ଦିନରେ ୩୧୫ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଫଳାଫଳ ଆସିବ।
ହେଲେ ଫଳାଫଳ ନଆସିବା ପୂର୍ବରୁ ଆରମ୍ଭ ହୋଇସାରିଛି ରାଜନୀତି ଅଙ୍କ କଷା । ୨୦୧୭ ନିର୍ବାଚନରେ ବିଜେପି ୨୯୭ ସିଟ ହାତେଇଥିବା ବେଳେ ୮ଟି ଜିଲ୍ଲାରେ ଚେୟାରମ୍ୟନ ଗଢ଼ିଥିଲା। ବରଗଡ଼, ବଲାଙ୍ଗୀର, ଦେଓଗଡ଼, କଳାହାଣ୍ଡି, ମାଲକାନଗିରି, ମୟୁରଭଞ୍ଜ, ସମ୍ବଲପୁର, ସୋନପୁରରେ ଜିଲ୍ଲା ପରିଷଦ ଗଢ଼ିଥିଲା ପଦ୍ମ ଦଳ।
ସେହିପରି କଂଗ୍ରେସ ହାତକୁ ଯାଇଥିଲା ୬୧ ଜିଲ୍ଲା ପରିଷଦ ଜୋନ। ରାୟଗଡା ଓ ଝାରସୁଗୁଡ଼ାରେ ଜିଲ୍ଲା ପରିଷଦ ଗଢ଼ିଥିଲା କଂଗ୍ରେସ। ଶାସକ ବିଜେଡି ୪୭୬ ଜିଲ୍ଲା ପରିଷଦ ଜୋନରେ ବାଜିମାତ କରି ଅବଶିଷ୍ଟ ୨୦ ଟି ଜିଲ୍ଲାରେ ଅଧ୍ୟକ୍ଷ ପଦ ହାତେଇବାରେ ସକ୍ଷମ ହୋଇଥିଲା।
ପରବର୍ତ୍ତୀ ମୁହୂର୍ତ୍ତରେ ରାୟଗଡା କଂଗ୍ରେସ ହାତରୁ ଖସି ବିଜେଡି ଖାତାରେ ଯୋଡି ହୋଇଥିଲା। ହେଲେ ଚଳିତ ନିର୍ବାଚନରେ ଏକ ତରଫା ବିଜୟ ନେଇ ବିଜେଡି ଦୃଢକ୍ତି କରିଛି। ନିର୍ବାଚନ ପୂର୍ବରୁ ଗୋଟିଏ ସିଟରେ ନିର୍ଦ୍ୱନ୍ଦରେରେ ଜିତି ଥିବା ବିଜେଡି ୯୦ ପ୍ରତିଶତରୁ ଅଧିକ ସିଟ ହାତେଇବ ବୋଲି ଦାବି କରିଛି। ୨୦୧୭ରେ ଆଖିଦୃଶିଆ ଫଳ କରିଥିବା ବିଜେପି ୫୦୦ ସିଟ ଲକ୍ଷ ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲା। ତେବେ ନିର୍ବାଚନ ପରେ ୪୦୦ରୁ ଅଧିକ ସିଟ ହାତେଇବା ନେଇ ଅଙ୍କ କଷିଛି । ଜନମତ ବିଜେପି ସପକ୍ଷରେ ଯାଇଥିବା ଦଳ ଦାବି କରିଛି।
କଂଗ୍ରେସର ଦାବି ଏଥର ଦ୍ବିତୀୟ ସ୍ଥାନ ହାତେଇବା ଦଳ । ବିଜେପି ସାଧାରଣ ସମ୍ପାଦକ ପୃଥୀବିରାଜ ହରିଚନ୍ଦନ କହିଛନ୍ତି, “୫୦୦ ସିଟ ହାତେଇବୁ ବୋଲି ଯୋଜନା କରିଥିଲୁ। ବିଜେଡି ଜିତିବା ପାଇଁ ସବୁ ପ୍ରକାର ଯୋଜନା କରିଥିଲା। ବୁଥ ରିଗିଂ ଠୁ ଆରମ୍ଭ କରି ସବୁ ପ୍ରକାର ବ୍ୟବସ୍ଥା କରିଥିଲା ଶାସକ ଦଳ। କିନ୍ତୁ ବିଜେପି ସପକ୍ଷରେ ଜନମତ ରହିଛି ।’’ ସରକାର ବିରୋଧରେ ହବ ଥିଲା। ତେଣୁ ବିଜେପି ସପକ୍ଷରେ ଜନମତ ଯିବ ବୋଲି ସେ କହିଛନ୍ତି।