ୱିଗ ଲଗାଇ ଲୁଚାଇଥିଲେ ସତ, ଚନ୍ଦା ଜାଣି ବରକୁ ଛେଚିଲେ କନ୍ୟାଘର ଲୋକ

0

ମୁଣ୍ଡରେ ନକଲି କେଶ ଲଗାଇ ଦ୍ୱିତୀୟ ବିବାହ କରିବାକୁ କନ୍ୟାଘରେ ପହଞ୍ଚିଥିଲା ବର । ବିବାହା ପୂର୍ବରୁ ଜଣା ପଡିଥିଲା ବର ଚନ୍ଦା ବୋଲି । ସତ ସାମ୍ନାକୁ ଆସିବା ପରେ କନ୍ୟା ଘର ଲୋକ ରାଗି ବରକୁ ନିର୍ଧୁମ ଛେଚିଥିଲେ । ବର ଜଣକ ମାଡ ମାରିବା ସମୟରେ ହାତ ଯୋଡ଼ି କାକୁତିମିନତି ହେଉଥିଲେ ମଧ୍ୟ କେହି ତାଙ୍କ କଥା ଶୁଣିବାକୁ ନ ଥିଲେ। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

ତେବେ ଏପରି ଏକ ଘଟଣା ଘଟିଛି ବିହାରର ଗୟା ଅଞ୍ଚଳରେ । ବ୍ୟକ୍ତି ଜଣକ ଦ୍ୱିତୀୟ ବିବାହ କରିବାକୁ କନ୍ୟାଘରେ ପହଞ୍ଚିଥିଲେ। ସେଠାରେ ଲୋକମାନେ ବିବାହ ମଣ୍ଡପରେ ହିଁ ବରକୁ ମାଡ଼ ମାରିଥିଲେ। କୁହାଯାଉଛି କି, ଇକବାଲ ନଗରର ବାସିନ୍ଦା ଏହି ବ୍ୟକ୍ତି ଜଣକ ପ୍ରକୃତରେ ଚନ୍ଦା। କିନ୍ତୁ ସେ ଦ୍ୱିତୀୟ ବିବାହ କରିବା ପାଇଁ ମୁଣ୍ଡରେ ନକଲି କେଶ ଲଗାଇ ଘୋଡ଼ି ଉପରେ ବସି କନ୍ୟାଘରେ ପହଞ୍ଚିଥିଲେ। ଏପରିକି, ତାଙ୍କର ପ୍ରଥମ ପତ୍ନୀ ଥିବା ମଧ୍ୟ ସେ କନ୍ୟାଘର ଲୋକଙ୍କୁ ଲୁଚାଇଥିଲେ।

କନ୍ୟାଘର ଲୋକେ ସବୁକିଛି ଜାଣିବା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ତୁରନ୍ତ ସେମାନେ ବରକୁ ଘେରି ଯାଇ ପିଟାପିଟି ଆରମ୍ଭ କରିଥିଲେ। ଏହାପରେ ତାଙ୍କୁ ପୋଲିସକୁ ହସ୍ତାନ୍ତର କରାଯାଇଥିଲା। ବର୍ତ୍ତମାନ ପୋଲିସ ମାମଲାର ତଦନ୍ତ କରୁଛି।