ଓଡ଼ିଶାକୁ ମିଳିଲା ‘ଭୂମି-ସମ୍ମାନ’ ପୁରସ୍କାର, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତର ଶ୍ରେଷ୍ଠ ରାଜ୍ୟ ଭାବେ ଏହି ପୁରସ୍କାର ପ୍ରଦାନ କରିଛନ୍ତି

ଭୁବନେଶ୍ବର: ପୁଣି ଜାତୀୟ ସ୍ତରରେ ସମ୍ମାନୀତ ହେଲା ଓଡ଼ିଶା । ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଅନୁଷ୍ଠିତ ଏକ ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ସମ୍ମାନିତ ହେଲା ଓଡିଶା | ଡିଜିଟାଲ୍‌‌ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡ ଆଧୁନିକୀକରଣ କାର୍ଯ୍ୟକ୍ରମ (DILRMP)ର ଲକ୍ଷ୍ୟଗୁଡିକୁ ପୂରଣ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡିଶାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତର ଶ୍ରେଷ୍ଠ ରାଜ୍ୟ ଭାବେ ‘ଭୂମି ସମ୍ମାନ’ ପୁରସ୍କାର ପ୍ରଦାନ କରିଛନ୍ତି । ଦେଶର ସମୁଦାୟ ୭୬୬ ଜିଲ୍ଲା ମଧ୍ୟରୁ ୬୮ଟି ଜିଲ୍ଲାକୁ ଡିଆଇଏଲ୍‌‌ଆର୍‌‌ଏମ୍‌‌ପି ଅନ୍ତର୍ଗତ ଛଅଗୋଟି ବର୍ଗରେ ପ୍ଲାଟିନମ୍‌‌ ପୁରସ୍କାର ମିଳିଛି । ସେଥିମଧ୍ୟରୁ ଓଡିଶାର ୧୯ଟି ଜିଲ୍ଲା ଏହି ପୁରସ୍କାର ପାଇବା ସମଗ୍ର ଓଡିଶାବାସୀଙ୍କ ପାଇଁ ଗୌରବର ବିଷୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନରେ ୫ଟି କାର୍ଯ୍ୟାନ୍ୱୟନ ତଥା ‘ମୋ ସରକାର’ ନିୟମାବଳୀ ମାଧ୍ୟମରେ ଜମିଜମା ରେକର୍ଡ ଏବଂ ଜନସେବାକୁ ଡିଜିଟାଇଜେସନ୍‌‌ କରିବାରେ ଓଡିଶା ଏକ ଅଗ୍ରଣୀ ରାଜ୍ୟ ହୋଇପାରିଛି ।

ଓଡିଶାର ଭଦ୍ରକ, ଦେଓଗଡ, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, ବରଗଡ, ଗଜପତି, ଗଂଜାମ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ନବରଙ୍ଗପୁର, ନୟାଗଡ, ସମ୍ବଲପୁର, ନୂଆପଡା, ରାୟଗଡା ଓ ନବରଙ୍ଗପୁର ଆଦି ୧୯ଟି ଜିଲ୍ଲା ଏହି ପ୍ଲାଟିନମ ପୁରସ୍କାର ନିମନ୍ତେ ବିବେଚିତ ହୋଇଥିଲେ । ରାଷ୍ଟ୍ରପତି ଏହି ଜିଲ୍ଲାମାନଙ୍କର ଜିଲ୍ଲାପାଳ ବା ଅତିରିକ୍ତ ଜିଲ୍ଲାପାଳମାନଙ୍କୁ ‘ଭୂମି ସମ୍ମାନ’ ପୁରସ୍କାର ପ୍ରଦାନ କରିଥିଲେ ।