୭୭ ବର୍ଷରେ ପାଦ ଥାପିଲା ଓଡିଶାର ରାଜଧାନୀ ଭୁବନେଶ୍ୱର

ଭୁବନେଶ୍ୱର-: ୭୭  ବର୍ଷରେ ପାଦ ଥାପିଲା ଓଡିଶାର ରାଜଧାନୀ ଭୁବନେଶ୍ୱର । ୧୯୪୮ ମସିହା ଏପ୍ରିଲ ମାସ ୧୩ ତାରିଖ ଆଜିର ଦିନରେ ଭୁବନେଶ୍ବରକୁ ମିଳିଥିଲା ରାଜଧାନୀର ସ୍ବୀକୃତି । ଆଜିର ଦିନରେ ତତକାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଦ୍ୱାରା ରାଜଧାନୀ ପ୍ରତିଷ୍ଠା ଫଳକ ସ୍ଥାପନ କରାଯାଇଥିଲା । ଆଜି ସକାଳୁ ଓଡିଶା ବିଧାନ ସୌଧ ସମ୍ମୁଖରେ ଥିବା ଶିଳାନ୍ୟାସ ଫଳକରେ ବାଚସ୍ପତି ସୁରମା ପାଢୀ ଏବଂ ଅନ୍ୟାନ୍ୟ ଅତିଥି ମାନେ ମାଲ୍ୟାର୍ପଣ କରି ସେଠାରେ ପତାକା ଉତ୍ତୋଳନ ମଧ୍ୟ କରାଥିଲେ । ପ୍ରତିଷ୍ଠା ଦିବସ ଅବସରରେ ଜୟଦେବ ଭବନରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଭୁବନେଶ୍ଵର ମହାନଗର ନିଗମ ଦ୍ଵାରା ଆୟୋଜିତ ଫଟୋ ଚିତ୍ର ପ୍ରଦର୍ଶନୀର ଉଦଘାଟନ ହେବା ସହ ରବିନ୍ଦ୍ର ମଣ୍ଡପ ଠାରୁ ଜୟଦେବ ଭବନ ଛକ ପର୍ଯ୍ୟନ୍ତ ବେସାମରିକ ପରେଡ୍ ପ୍ରଦର୍ଶିତ ହୋଇଥିଲା । ଏଥିରେ ପୁଲିସ କର୍ମଚାରୀଙ୍କ ସହ କଲେଜ ଓ ସ୍କୁଲ ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ।

ସମୟ ସହିତ ତାଳ ଦେଇ ବୃଦ୍ଧି ପାଇଛି ଭୁବନେଶ୍ବରର କଳେବର । ବିକାଶ ଧାରାରେ ସାମିଲ ହୋଇ ଦେଶର ୧ନମ୍ବର ସ୍ମାର୍ଟସିଟିର ମାନ୍ୟତା ହାସଲ କରିଛି । ସହରର ଆକାର ବଢିବା ସହ ୭୭ ବର୍ଷ ଭିତରେ ନୂଆ ରୂପ ପାଇଛି ରାଜଧାନୀ । ପୂର୍ବରୁ ଏହାର ଜନସଂଖ୍ୟା ୧୫ ହଜାର ଥିବାବେଳେ ଏବେ ଏହା ୧୫ ଲକ୍ଷରେ ପହଞ୍ଚିଛି । ତେବେ ଆଜି ପ୍ରତିଷ୍ଠା ଦିବସ ଉପଲକ୍ଷେ ସଜେଇ ହୋଇଛି ସମଗ୍ର ରାଜଧାନୀ । ରାଜଧାନୀରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ସମସ୍ତ ସରକାରୀ ବିଭାଗ ସମେତ ବିଏମସି ଓ ୬୭ଟି ୱାର୍ଡରେ କାର୍ଯ୍ୟକ୍ରମ ଆୟୋଜିତ ହେବ । ଦୁଇ ଦିନ ଧରି ପାଳନ ହେବ ପ୍ରତିଷ୍ଠା ଦିବସ ।

ଓଡ଼ିଶା ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ ଯୁବପିଢ଼ିଙ୍କୁ ରାଜଧାନୀ ଓ ରାଜ୍ୟର ବିକାଶ ପାଇଁ ଆଗେଇ ଆସିବାକୁ ଆହ୍ଵାନ କରିଛନ୍ତି ।

ସେହିପରି ୭୭ତମ ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସୋସିଆଲ ମିଡିଆ `ଏକ୍ସ’ ଯୋଗେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇ ମନ୍ଦିରମାଳିନୀ ଭୁବନେଶ୍ଵରକୁ ସ୍ବଚ୍ଛ, ସବୁଜ ଓ ସୁନ୍ଦର ରଖିବାକୁ ଦେଲେ ଆହ୍ବାନ ଦେଇଛନ୍ତି ।