ଗିରଫ ହେଲେ R&B ଡିଭିଜନ-୩ ସହକାରୀ ଯନ୍ତ୍ରୀ ରାଜକିଶୋର ଜେନା

0

ଭୁବନେଶ୍ଵର: ଭୁବନେଶ୍ବର R&B ଡିଭିଜନ-୩ ସହକାରୀ ଯନ୍ତ୍ରୀ ରାଜକିଶୋର ଜେନା ଗିରଫ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ଗତକାଲି ଭୁବନେଶ୍ବର R&B ଡିଭିଜନ-୩ ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କ ଘରେ ଚଢାଉ କରିଥିଲା ଭିଜିଲାନ୍ସ । ନୟାଗଡ ସ୍ଥିତ ତାଙ୍କ ପୈତୃକ ଘର ସମେତ ଭିଜିଲାନ୍ସ ୧୦ଟି ସ୍ଥାନରେ ଚଢାଉ କରିଥିଲା । ଚଢାଉରେ ଭିଜିଲାନ୍ସର ୧୦ଟି ଟିମ୍ ସାମିଲ ଥିଲେ । ତେବେ ଚଢାଉ ବେଳେ ବିପୁଳ ପରିମାଣର ସମ୍ପତ୍ତି ଠାବ ହୋଇଥିଲା । ଯନ୍ତ୍ରୀଙ୍କର ଭୁବନେଶ୍ବରରେ ଗୋଟିଏ ବହୁତଳ କୋଠା ସହ ୨ଟି ଫ୍ଲାଟ୍ ଅଛି । ଭୁବନେଶ୍ବର ଗ୍ୟାଲେରିଆ ଓ ସିମ୍ଫୋନୀ ମଲ୍‌ରେ ୨ଟି ଦୋକାନ ଅଛି । ୧୩ଟି ଦାମୀ ପ୍ଲଟ୍ ସହ ୭୫ ଲକ୍ଷ ଟଙ୍କାର ଜମା ଠାବ ହୋଇଥିବା ବେଳେ ୨ ପିଲାଙ୍କ ପାଠପଢ଼ାରେ ୬୭ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ରାଜକିଶୋର ।

ଚଢାଉ ବେଳେ ନୀଳାଦ୍ରିବିହାର ସେକ୍ଟର ୫ରେ ଥିବା ପ୍ଲଟ ନମ୍ବର ୨୨୬ରେ ଏକ ତିନି ମହଲା କୋଠା, କସ୍ମୋପଲ୍ଲୀରେ ଦୁଇଟି ଫ୍ଲାଟ, ଉତ୍କଳ କଣିକା ଗ୍ୟାଲେରିଆ ମଲ୍ ରେ ଥିବା ୪୦୦ ବର୍ଗଫୁଟ୍ ଅଂଚଳରେ ଥିବା ନ୍ୟାକା ଲକ୍ସ ଶୋ-ରୁମ୍ (ସପ୍ ନଂ-୦୨୪), ସିମ୍ଫୋନୀ ମଲ୍ ପାହାଳାରେ ଏକ ଦୋକାନ ଘର ଠାବ ହୋଇଛି । ସେହିପରି ୧୩ଟି ମୂଲ୍ୟବାନ ଜମି, ବ୍ୟାଙ୍କ, ପୋଷ୍ଟାଲ ଓ ବୀମା ଜମା ମୋଟ ୭୫ ଲକ୍ଷ ଟଙ୍କା, ୩୦ ଲକ୍ଷ ଟଙ୍କା ମୂଲ୍ୟର ନଗଦ ଓ ଘରୋଇ ଉପକରଣ ଆଦି ଭିଜିଲାନ୍ସ ଠାବ କରିଛି । ତେବେ ଚଢାଉ ଜାରି ରହିଥିବା ବେଳେ ସଂପତିଗୁଡିକର ମୂଲ୍ୟ ଓ ମାପ ନିର୍ଣ୍ଣୟ କରୁଛି । ଏହି ସଂପତି କେମିତି ଆସିଛି ବୋଲି ଜେନାଙ୍କୁ ପଚାରାଉଛନ୍ତି । ତଦନ୍ତ ଚାଲିଥିବା ବେଳେ ଅଧିକ ସଂପତି ଠାବ ହେବାର ସମ୍ଭାବନା ଅଛି ।