ବନ୍ଦ କୋଠରୀରୁ ଉଦ୍ଧାର ହେଲେ ଭଗବାନ

ଅନୁଗୁଳ (ଜ୍ୟୋତିରଞ୍ଜନ ଧର): ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବଡ଼ଗୁଣ୍ଡୁରୀ ଗ୍ରାମର ଜଣେ ମାନସିକ ଅସୁସ୍ଥ ଯୁବକ ଗତ ବୁଧବାର ଉଦ୍ଧାର ହୋଇଛନ୍ତି । ମାନସିକ ଅସ୍ତିରତା ଯୋଗୁଁ ପରିବାର ଲୋକେ ତାଙ୍କୁ ୭ ମାସ ଧରି ଏକ କୋଠରୀରେ ବନ୍ଦ କରି ରଖିଥିଲେ । ତେବେ ଏହି ଖବର ପାଇ ସରପଞ୍ଚ ଲୋକନାଥ ସାହୁ ତାଙ୍କୁ ଉଦ୍ଧାର କରିଛନ୍ତି ।
ବଡ଼ ଗୁଣ୍ଡୁରୀ ଗ୍ରାମର ଭଗବାନ ସାହୁ(୩୩)ଙ୍କର ସାମାନ୍ୟ ମସ୍ତିଷ୍କ ବିକୃତି ରହିଛି । ସେ ପୂର୍ବରୁ ଚିକିତ୍ସାଧୀନ ଥିଲେ । ନିୟମିତ ଔଷଧ ମଧ୍ୟ ଖାଉଥିଲେ । କିନ୍ତୁ ହଠାତ ମାସ ମାସ ଧରି ଭଗବାନଙ୍କର ଦେଖା ନପାଇବାରୁ ସାହି ପଡ଼ୋଶୀ ତାଙ୍କ ଭାଇଭାଉଜଙ୍କୁ ପଚରାଉଚୁରା କରିଥିଲେ । କିନ୍ତୁ ପରିବାର କେବେ ମାମୁ ଘର ତ କେବେ ମାଉସୀ ଘର କହି ଗ୍ରାମବାସୀଙ୍କୁ ଭୁଲାଇ ଦେଉଥିଲେ । ଏହାପରେ ଗ୍ରାମବାସୀଙ୍କ ମନରେ ସନ୍ଦେହ ସୃଷ୍ଟି ହେବାରୁ ବୁଧବାର ସରପଞ୍ଚ ଲୋକନାଥ ସାହୁ ତାଙ୍କ ଘରକୁ ଯାଇ ଭଗବାନଙ୍କ ସମ୍ପର୍କରେ ପଚାରିଥିଲେ । ଠିକ ସୂଚନା ନଦେଲେ ପୋଲିସରେ ଏତଲା ଦେବେ ବୋଲି କହିବାରୁ ଭଗବାନଙ୍କୁ ଘର ଭିତରେ ରଖାଯାଇଥିବା ପ୍ରକାଶ କରିଥିଲେ ପରିବାର ଲୋକେ । ଏହାପରେ ଅଙ୍ଗନବାଡ଼ି, ଆଶା ଦିଦି ଏବଂ ଗ୍ରାମବାସୀଙ୍କ ଉପସ୍ଥିତିରେ ଭଗବାନଙ୍କୁ ଉଦ୍ଧାର କରାଯାଇ ତାଙ୍କର ଚିକିତ୍ସା କରାଯାଉଥିବା ଜଣାଯାଇଛି ।