ଲୋକାର୍ପଣ ପୂର୍ବରୁ ବେହାଲ ବ୍ରିଜ

(ସୂର୍ଯ୍ୟକାନ୍ତ ବେହେରା / ମାଲକାନଗିରି): ବର୍ଷେ ନ ପୁରୁଣୁ ଦବିଲା ନୂତନ ପୋଲ । ମାଲକାନଗିରି ଜିଲ୍ଲାର ବାଲିମେଳା ସଦରଠାରୁ ପୋଟରେଲ ପଞ୍ଚାୟତର ଚିତାପାରୀକୁ ଯୋଗାଯୋଗ କରିବାକୁ ହେଲେ ପୂର୍ବେ ବିପଦଜନକ ଅବସ୍ଥାରେ ଦେଶୀ ଡଙ୍ଗା ମାଧ୍ୟମରେ ନଦୀ ପାର ହେବାକୁ ପଡୁଥିଲା। ତେବେ ଏହି ସମସ୍ୟାକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ଆରଡ଼ି ବିଭାଗ ଦ୍ଵାରା ବିଜୁ ସେତୁ ଯୋଜନାରେ କୋଟି କୋଟି ଟଙ୍କାର ବ୍ୟୟ ଅଟକଳରେ ଏକ ନୂତନ ବ୍ରିଜ ନିର୍ମାଣ କରାଯାଇଥିଲା। ତେବେ ଏହି ବ୍ରିଜଟିକୁ ଗୁପ୍ତେଶ୍ଵର କଂଷ୍ଟ୍ରକସନ ନାମକ ଏକ କମ୍ପାନୀ କାମଟିକୁ ନେଇଥିଲା। ତେବେ ବ୍ରିଜଟି ଉଚିତ ଅବଧି ମଧ୍ୟରେ ନିର୍ମାଣ ନ ହୋଇ ବିଳମ୍ବରେ ନିର୍ମାଣ କାର୍ୟ୍ୟ ଶେଷ ହେଲା ସତ କିନ୍ତୁ ଉତ୍ତମ ମାନର କାମ ହୋଇନଥିବା ହେତୁ ବର୍ତ୍ତମାନ ବ୍ରିଜର ଗୋଟିଏ ପାର୍ଶ୍ଵରେ ଥିବା ସିମେଣ୍ଟ କଂକ୍ରିଟ ଆପ୍ରୋଚ ରାସ୍ତାଟି ୧ ଫୁଟ ଦବି ଯିବା ସହ ରାସ୍ତାଟି ମଝି ଭାଗରୁ ଫାଟି ଆଁ କରିଥିବା ଦେଖିବାକୁ ମିଳିଛି। ତେବେ ଏପରି ହେବା ଦ୍ୱାରା ବାରମ୍ବାର ବହୁ ଦୁର୍ଘଟଣା ଘଟି ଲୋକେ ମଧ୍ୟ ଆହତ ହେଉଛନ୍ତି। ତେବେ ତୁରନ୍ତ ଏହାକୁ ପୁନଃ ନିର୍ମାଣ ନିମନ୍ତେ ସ୍ଥାନୀୟ ଲୋକେ ଦାବି କରିବା ସହ ଯଦି କେହି ପଡି ମୃତ୍ୟୁବରଣ କରେ ତାହେଲେ ଏଥିପାଇଁ ପ୍ରଶାସନ ଦାୟୀ ରହିବ କି ବୋଲି ପ୍ରଶ୍ନ କରିଛନ୍ତି।