ଝରିଗାଁ: ପୁଣି ଭାଲୁ ଆତଙ୍କ। ଭୟରେ ଲୋକେ। ଝରିଗାଁ ବ୍ଲକ ପାଳିଆ ପଞ୍ଚାୟତର ବାସୁଦେବଗୁଡା ଗାଁରେ ପୁଣି ଥରେ ଭାଲୁ ଆତଙ୍କ ସୃଷ୍ଟି ହୋଇଛି। ପ୍ରାୟତଃ ଭାଲୁମାନେ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲରୁ ଗାଁ ମଧ୍ୟକୁ ଚାଲିଆସନ୍ତି। ଯଦି ଗାଁର କୌଣସି ଲୋକ ଭାଲୁ ହାବୁଡରେ ପଡିଯାଆନ୍ତି ତାହାଲେ କଥା ସରିଲା। ଲୋକଟି ଭାଲୁ ଆକ୍ରମଣର ଶିକାର ହେବାଟା ଥୟ। ବେଳେ ବେଳେ ଭାଲୁମାନେ ଲୋକଙ୍କୁ ଆକ୍ରମଣ କରି ଆହତ କରି ଦେଇଥାନ୍ତି। ସେଥିପାଇଁ ଲୋକମାନେ ଅନେକ ସମୟରେ ଘରୁ ବାହାରକୁ ବାହାରିବା ପାଇଁ ଡରିଥାନ୍ତି। ଏନେଇ ବନ ବିଭାଗ ପକ୍ଷରୁ ସତର୍କ କରାଇବା ସହ ଭାଲୁକୁ ଘଉଡାଇବା ପାଇଁ ପ୍ରାୟତଃ ପ୍ରୟାସ କରାଯାଇଥାଏ। ଯେମିତି ବାସୁଦେବଗୁଡାରେ ଜଙ୍ଗଲ ମଧ୍ୟରୁ ଏକାସାଙ୍ଗରେ ତିନୋଟି ଭାଲୁ ଗାଁ ମଧ୍ୟରେ ପ୍ରବେଶ କରିଛନ୍ତି। କାରଣ ଗାଁରେ ମକା ଫସଲ କରାଯାଇଥିବାବେଳେ ଏହାକୁ ଖାଇବା ଲାଗି ଭାଲୁମାନେ ଗାଁ ମଧ୍ୟକୁ ଚାଲି ଆସିଛନ୍ତି। ସ୍ଥାନୀୟ ଲୋକଙ୍କ ଭିଡ ଜମିବାରୁ ଭାଲୁ ଗୁଡିକ ଜଙ୍ଗଲ ମଧ୍ୟକୁ ଚାଲିଯାଇଥିଲେ। ତେବେ ଭାଲୁ ଆକ୍ରମଣକୁ ନେଇ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି। ପୂର୍ବରୁ ଅଞ୍ଚଳର ଅନେକ ଲୋକ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି। ତେଣୁ ବନ ବିଭାଗ ପକ୍ଷରୁ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ଲାଗି କୁହାଯାଇଛି।