ବ୍ୟୁରୋ : ସାଧାରଣତଃ ଦିନରେ ଖାଇସାରିବା ପରେ ସମସ୍ତଙ୍କୁ ନିଦ ଆସିଥାଏ । ଏହା ମଧ୍ୟ ଅତି ସ୍ୱାଭାବିକ କଥା । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ଯେତେବେଳେ ଆମେ ଅପରାହ୍ନରେ ଖାଦ୍ୟ ଖାଇଥାଉ, ହଜମ ପ୍ରକ୍ରିୟାରେ ରକ୍ତ ସଞ୍ଚାଳନ ବୃଦ୍ଧି ହୋଇଥାଏ। ଏହି କାରଣରୁ, ମସ୍ତିଷ୍କକୁ ବ୍ଲଡ଼ ସପ୍ଲାଏ ହ୍ରାସ ହୋଇପାରେ । ଏହି କାରଣରୁ ନିଦ ଓ ଥକ୍କା ଲାଗିଥାଏ। ଏହା ମଧ୍ୟ କୁହାଯାଏ ଯେ ଖାଇବା ଆରେ ଶରୀରରେ ଗ୍ଲୁକୋଜ ସ୍ତର ବଢିଥାଏ । ଯେଉଁ କାରଣରୁ ଜଣେ ବ୍ୟକ୍ତିକୁ ଅଧିକ ନିଦ ଆସିଥାଏ । କିନ୍ତୁ ତାହା ବିପଦଜନକ ନୁହେଁ। ଏହା ଏକ ସାଧାରଣ ପ୍ରକ୍ରିୟା, ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ।
ଆପଣ ପ୍ରତିଦିନ ଅପରାହ୍ନରେ ଶୋଇବା ଅଭ୍ୟାସ କରନ୍ତି ଶରୀର ଉପରେ କେଉଁ ପ୍ରଭାବ ପଡେ ଆସନ୍ତୁ ଜାଣିବା ;
ନ୍ୟାସନାଲ ସ୍ଲିପ ଫାଉଣ୍ଡେସନ ଅନୁସାରେ, ଆମେରିକାର ପ୍ରାୟ ଏକ ତୃତୀୟାଂଶ ବୟସ୍କ ବ୍ୟକ୍ତି ଅପରାହ୍ନରେ ଶୋଇଥାନ୍ତି । କିଛି ଅନୁସନ୍ଧାନରୁ ଜଣାପଡିଛି ଯେ ଦିନରେ ଖାଇବା ପରେ ଅଳ୍ପ ସମୟ ଶୋଇବା ପ୍ରଡକ୍ଟିଭିଟି ବଢ଼ାଇବାରେ ସାହାଯ୍ୟ କରିଥାଏ । ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ଦିନରେ କିଛି ସମୟ ଶୋଇବା ଶରୀରକୁ ମଧ୍ୟ ଆକ୍ଟିଭ ରଖେ । କିନ୍ତୁ ଏହା ବ୍ୟକ୍ତିର ଅଭ୍ୟାସଗତ ନହେବା ଉଚିତ। ନଚେତ ଏହାର ନକାରାତ୍ମକ ପ୍ରଭାବ ପଡିପାରେ।
ଅନୁସନ୍ଧାନକାରୀମାନେ କହିଛନ୍ତି, ଦିନରେ ଯେଉଁମାନେ ଅଧିକ ସମୟ ଶୋଇରହୁଛନ୍ତି ଭବିଷ୍ୟତରେ ସେମାନଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଇପାରେ। ଦିନରେ ଅଧିକ ସମୟ ଶୋଉଥିବା ବୟସ୍କ ବ୍ୟକ୍ତିମାନଙ୍କୁ ଡାଇବେଟିସ, ହୃଦ ରୋଗ ଏବଂ ଡିପ୍ରେସନ ଭଳି ସମସ୍ୟା ହେବାର ଆଶଙ୍କା ଅଧିକ ଥାଏ । ଦିନରେ ଶୋଇବାର ଅର୍ଥ ରାତିରେ ଶରୀରକୁ ଆବଶ୍ୟକୀୟ ବିଶ୍ରାମ ମିଳିପାରୁନାହିଁ, ଫଳରେ ଅନେକାଂଶରେ କ୍ରୋନିକ ରୋଗ ବଢ଼ିପାରେ ।
ଏଣୁ ରାତିରେ ଯଥେଷ୍ଟ ଶୋଇବା ଉଚିତ। ଦିନରେ ଅଧିକ ସମୟ ଶୋଇବା କାରଣରୁ ସ୍ଲିପିଂ ସାଇକେଲରେ ବ୍ୟାଘାତ ହୋଇପାରେ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ଦିନରେ ହାଲକା ନିଦ ଶୋଇବା ଭଲ ହୋଇପାରେ। ତେବେ ପ୍ରତ୍ୟେକଦିନ ୨୦-୩୦ ମିନିଟ୍ରୁ ଅଧିକ ସମୟ ଶୋଇବା ଉଚିତ ନୁହେଁ। ନଚେତ ଅଧିକ ସମୟ ନିଦ୍ରା ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହେବ ।