ନୂଆଦିଲ୍ଲୀ: ଅଣ୍ଡର-19 ICC ୱର୍ଲ୍ଡ କପ୍ 2026 ଜିତି ସମଗ୍ର ଦେଶକୁ ଗର୍ବିତ କରିଥିବା ଭାରତୀୟ ଦଳ ପାଇଁ BCCI ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ଅଣ୍ଡର-19 ଦଳକୁ 7.5 କୋଟି ଟଙ୍କା ନଗଦ ପୁରସ୍କାର ଦେବାକୁ ଘୋଷଣା କରିଛି। BCCI ସଚିବ ଦେବଜିତ ସୈକିଆ କହିଛନ୍ତି, “ଇଂଲଣ୍ଡକୁ ପରାସ୍ତ କରି ICC ଅଣ୍ଡର-19 ୱର୍ଲ୍ଡ କପ୍ ଜିତିବା ପରେ ସମଗ୍ର ଦେଶ ଖୁସିରେ ଝୁମୁଛି। ଏହି ଐତିହାସିକ ସଫଳତା ପାଇଁ ବିଜେତା ଭାରତୀୟ ଦଳକୁ 7.5 କୋଟି ଟଙ୍କା ପୁରସ୍କାର ଦେବାର ନିଷ୍ପତ୍ତି ନିଆଯାଇଛି।”

ଅଣ୍ଡର-19 ୱର୍ଲ୍ଡ କପ୍ ଫାଇନାଲ୍ରେ ଆୟୁଷ ମ୍ହାତ୍ରେଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଇଂଲଣ୍ଡକୁ 100 ରନ୍ରେ ହରାଇ ଷଷ୍ଠ ଥର ପାଇଁ ବିଶ୍ୱକପ୍ ଟାଇଟଲ୍ ଜିତିଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ 50 ଓଭରରେ 9 ୱିକେଟ୍ ହାରାଇ 411 ରନ୍ କରିଥିଲା। ଲକ୍ଷ୍ୟ ପିଛା କରି ଇଂଲଣ୍ଡ ଦଳ 311 ରନ୍ରେ ସୀମିତ ରହିଥିଲା। ଫାଇନାଲ୍ ମ୍ୟାଚ୍ରେ ବୈଭବ ସୂର୍ଯ୍ୟବଂଶୀ ଅଦ୍ଭୁତ ବ୍ୟାଟିଂ କରି 80 ବଲ୍ରେ 175 ରନ୍ ସ୍କୋର କରିଥିଲେ। ତାଙ୍କ ଇନିଂସ୍ରେ 15ଟି ଚୌକା ଓ 15ଟି ଛକା ସାମିଲ୍ ଥିଲା। ବୈଭବଙ୍କ ଏହି ବିସ୍ଫୋରକ ପାଳି ଭାରତକୁ ବଡ଼ ସ୍କୋର ଦେବାରେ ନିର୍ଣ୍ଣାୟକ ଭୂମିକା ନିଭାଇଥିଲା।

ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇ BCCI ଅଧ୍ୟକ୍ଷ ମିଥୁନ୍ ମନ୍ହାସ କହିଛନ୍ତି, “ଷଷ୍ଠ ଥର ଅଣ୍ଡର-19 ୱର୍ଲ୍ଡ କପ୍ ଜିତିବା ଏକ ଅସାଧାରଣ ସଫଳତା। ଏହା ଆୟୁ-ବର୍ଗ କ୍ରିକେଟ୍ରେ ଭାରତର ଶକ୍ତିକୁ ପ୍ରମାଣ କରେ। ପୁରୁଷ ଓ ମହିଳା—ଦୁହେଁ ଅଣ୍ଡର-19 ୱର୍ଲ୍ଡ କପ୍ ଜିତିବା ଆମ ପାଇଁ ଗର୍ବର ବିଷୟ।”