CBSE ଦଶମ ପରୀକ୍ଷା ଦେଲେନି ବ୍ୟାଟିଂ ବିସ୍ମୟ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ: ଭାରତର ଉଦୀୟମାନ ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଦଶମ ଶ୍ରେଣୀ ପରୀକ୍ଷାକୁ ନେଇ ପୁନିଥରେ ଚର୍ଚ୍ଚାରେ ଆସିଛନ୍ତି। Central Board of Secondary Education (CBSE) ଆଜିଠାରୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ କରିଛି, ଯାହା ମାର୍ଚ୍ଚ ୧୧ ପର୍ଯ୍ୟନ୍ତ ଚାଲିବ। ଆଜି ବୈଭବଙ୍କ ପ୍ରଥମ ପତ୍ର ଗଣିତ ଥିଲା। କିନ୍ତୁ ବୈଭବ ସମସ୍ତିପୁରର Poddar International School, Samastipur ପରୀକ୍ଷା କେନ୍ଦ୍ରରେ ଉପସ୍ଥିତ ହୋଇନଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଏନ୍‌.କେ. ସିହ୍ନା ଏହି ସୂଚନା ଦେଇ କହିଛନ୍ତି ଯେ, ସିବିଏସଇ ନିୟମାବଳୀ ଅନୁଯାୟୀ ସେମାନେ ତାଙ୍କୁ ଅନୁପସ୍ଥିତ ଭାବେ ଚିହ୍ନଟ କରିଛନ୍ତି।

ପ୍ରଧାନଶିକ୍ଷକଙ୍କ କହିବା ଅନୁସାରେ, ବୈଭବ ପକ୍ଷରୁ ପରୀକ୍ଷାରେ ଯୋଗ ନଦେବା ବିଷୟରେ କୌଣସି ଔପଚାରିକ ସୂଚନା ମିଳିନାହିଁ। ଯଦି କୌଣସି ଛାତ୍ର ପରୀକ୍ଷାରେ ଯୋଗ ନଦେଇଥାଏ ଓ ପୂର୍ବ ସୂଚନା ନଦେଇଥାଏ, ତେବେ ବୋର୍ଡ ନୀତି ଅନୁଯାୟୀ ତାଙ୍କୁ ଅନୁପସ୍ଥିତ ଦର୍ଶାଯାଏ। ପୂର୍ବରୁ ବୈଭବଙ୍କ ପିତା ସଞ୍ଜୀବ ସୂର୍ଯ୍ୟବଂଶୀ କହିଥିଲେ ଯେ, କ୍ରିକେଟ୍ ଅଭ୍ୟାସ ଓ ପ୍ରତିଯୋଗିତାର ବ୍ୟସ୍ତ କାର୍ଯ୍ୟସୂଚୀ ଯୋଗୁଁ ସେ ଏବର୍ଷ ପରୀକ୍ଷା ଦେଇପାରିବେ ନାହିଁ। ପରିବାର ପକ୍ଷରୁ ମଧ୍ୟ କୁହାଯାଇଛି ଯେ, ପରୀକ୍ଷା କେନ୍ଦ୍ରରେ ପ୍ରଶଂସକମାନଙ୍କ ଭିଡ଼ ହେବା ସମ୍ଭାବନା ଓ କ୍ରିକେଟ୍ ସମ୍ବନ୍ଧୀୟ କାର୍ଯ୍ୟକଳାପ ଯୋଗୁଁ ଏହି ସିଦ୍ଧାନ୍ତ ନିଆଯାଇଛି। ବିଦ୍ୟାଳୟ କର୍ତ୍ତୃପକ୍ଷ ଆଶା ବ୍ୟକ୍ତ କରିଛନ୍ତି ଯେ, ଯଦି ସମ୍ଭବ ହୋଇଥାଏ, ବୈଭବ ପରବର୍ତ୍ତୀ ପତ୍ରଗୁଡ଼ିକରେ ଯୋଗଦେଇପାରନ୍ତି। ତଥାପି, ତାଙ୍କର କ୍ରିକେଟ୍ ବ୍ୟସ୍ତତାକୁ ଦେଖି ଏହା ଅନିଶ୍ଚିତ ରହିଛି।