ଗୁରୁଦିବସରେ ଚାଲିଗଲେ ଗୁରୁଜୀ

(ଚିତରଞ୍ଜନ ସାହୁ) : ଗୁରୁ ହିଁ ବ୍ରହ୍ମା, ଵିଷ୍ଣୁ ଓ ମହେଶ୍ୱର ଏବଂ ଗୁରୁ ହିଁ ସାକ୍ଷାତ ପରଂବ୍ରହ୍ମ ବୋଲି ଯୁଗ ଯୁଗରୁ ଶିକ୍ଷା ଦିଆଯାଇଛି ଏବଂ ସର୍ବଦା ଗୁରୁ ପୂଜନୀୟ । ତେଣୁ ଆଜିର ଯୁଗରେ ମଧ୍ୟ ଗୁରୁ ଦିବସ ରେ ଛାତ୍ର ଛାତ୍ରୀମାନେ ଗୁରୁଙ୍କୁ ପୂଜା କରି ଏହି ପରମ୍ପରାକୁ ବଜାୟ ରଖିଛନ୍ତି। ତେବେ ଓଡ଼ିଶାର ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ ଉତ୍ସ।ହ ଉଦ୍ଧିପନାର ସହ ଗତକାଲି ଗୁରୁଦିବସ ପାଳନ ହେଉଥିବା ବେଳେ ବରଗଡ଼ ଜିଲ୍ଲା ଭେଡେନ ବ୍ଲକର ଏକ ସ୍କୁଲରେ ଅଭାବନୀୟ ଘଟଣା ଘଟିଯାଇଛି । ଗୁରୁ ଦିବସ ପାଳନ ସମୟରେ ଚାଲିଗଲା ଗୁରୁଜୀଙ୍କ ଜୀବନ । ଗୁରୁ ଦିବସ ଦିନରେ ଛାତ୍ରଛାତ୍ରୀମାନେ ନିଜ ପ୍ରିୟ ଗୁରୁଜୀଙ୍କୁ ହରାଇ ମର୍ମାହତ ହୋଇପଡିଛନ୍ତି ।

ସୂଚନାଅନୁଯାୟୀ, ଗୁରୁ ଦିବସ ପାଳନ ପାଇଁ ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ବକଟି- ବୁର୍ଦ୍ଦା ଉଛ ପ୍ରାଥମିକ ବିଦ୍ୟାଳୟ ରେ ପହଞ୍ଚିଥିଲେ ଛାତ୍ରଛାତ୍ରୀ, ଶିକ୍ଷକ ଆନନ୍ଦ ପ୍ରଧାନ । ଛାତ୍ରଛାତ୍ରୀମାନେ ଗୁରୁଜୀଙ୍କୁ ପୂଜା କରୁଥିବା ବେଳେ ହଠାତ ତଳେ ଟଳି ପଡିଯାଇଥିଲେ ଶିକ୍ଷକ ଆନନ୍ଦ ପ୍ରଧାନ, ଛାତ୍ରଛାତ୍ରୀ ମାନେ କେହି କିଛି ବୁଝି ପାରିନଥିଲେ କଣ ହେଲା ଗୁରୁଜୀଙ୍କ । ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେଲାବେଳେ ଅଧାରାସ୍ତାରେ ଚାଲିଗଲା ଶିକ୍ଷକଙ୍କ ପ୍ରାୟବାୟୁ । ପୂର୍ବରୁ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବାବେଳେ ହଠାତ ହୃଦଘାତ ଯୋଗୁଁ ତାଙ୍କର ପ୍ରାଣ ଯାଇଥିବା ଡାକ୍ତର କହିଥିଲେ । ଗୁରୁଜୀଙ୍କ ମୃତ୍ୟୁ ଖବର ଚାରିଆଡେ ପ୍ରଘଟିତ ହେବାରେ ଛାତ୍ରଛାତ୍ରୀମାନଙ୍କ ସମେତ ସାରା ବକଟି ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।