ମାସ୍କ ବ୍ୟବହାର କରିବା ସହିତ ସାମାଜିକ ଦୂରତା ରକ୍ଷା କରିବାକୁ ଜିଲ୍ଲାପାଳଙ୍କ ନିବେଦନ

(ଚିତ୍ତରଞ୍ଜନ ସାହୁ /ବରଗଡ): ବରଗଡ଼ ଜିଲ୍ଲାରେ ପୁଣି ୩୧ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୩ରେ ପହଞ୍ଚିଛି। ସେଥିମଧ୍ୟରୁ ୧୪୭ଜଣ ସୁସ୍ଥ ହୋଇଛନ୍ତି । ଜଣଙ୍କର ମୃତ୍ୟୁ ଘଟିଛି ଓ ୫୫ଜଣ ଚିକିତ୍ସିତ ହେଉଛନ୍ତି।ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୧ ଜଣ ମହିଳା, ୧୮ ଜଣ ପୁରୁଷ ଓ ୨ ଜଣ ଶିଶୁ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୧୫ଜଣ ବରଗଡ଼ ସଦର ବ୍ଲକ କଟାପାଲିର ସ୍ଥାନୀୟ ଆକ୍ରାନ୍ତ ହୋଇଥିବା ବେଳେ ୮ ଜଣ ବରଗଡ଼ ପୌରାଚଂଳର ବୋଲି ଜଣାପଡ଼ିଛି। ବରଗଡ଼ ପୌରାଚଂଳର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୱାର୍ଡ ନମ୍ବର-୧୯ ଟିଟିଲାଗଡ଼ିଆ ବସ୍ତିରୁ ୪ଜଣ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବାବେଳେ ୱାର୍ଡ ନମ୍ବର-୧୧ର ନିରାଶ୍ରୟ ଆଶ୍ରୟସ୍ଥଳୀ ଟିଏମସିରୁ ଜଣେ ବାହାର ରାଜ୍ୟ ଫେରନ୍ତା ଓ ଅନ୍ୟଜଣେ କରୋନା ଯୋଦ୍ଧା ରହିଛନ୍ତି। ସେହିପରି ବରଗଡ଼ ୱାର୍ଡ ନମ୍ବର ୧୫ ମିଶ୍ର ଟିକିରାର ୨ଜଣ ମହାରାଷ୍ଟ୍ର ଫେରନ୍ତା ଓ ବରଗଡ଼ ସଦର ବ୍ଲକ ଡାଙ୍ଗ ପଚାଂୟତର ଏସିସି ସିମେଣ୍ଟ ନଗରର ଜଣେ ଜାମସେଦପୁର ଫେରନ୍ତା ରହିଥିବା ସୂଚନା ମିଳିଛି। ସେହିପରି ପଦ୍ମପୁର ବ୍ଲକ କନସିଂହା ଟିଏମସିର ଜଣେ ବାହାର ରାଜ୍ୟ ଫେରନ୍ତା ଓ ଗାଇସିଲେଟ ବ୍ଲକର ଜାମୁଟବାହାଲ ଗ୍ରାମର ୨ ଜଣ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅତାବିରା ବ୍ଲକ ଭାଲୁପାଲି ଗ୍ରାମର ଜଣେ ଆଚାର୍ୟ୍ୟ ହରିହର ହସ୍ପିଟାଲରୁ ଫେରି ସଂକ୍ରମିତ ହୋଇଥିବା ବେଳେ ଜହ୍ନାପଡ଼ା ଗ୍ରାମର ଜଣେ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ବରପାଲି ଏନଏସି ଅଚଂଳର ୨ଜଣ ବେଙ୍ଗାଲୁରୁ ଓ ୟୁକ୍ରେନରୁ ଫେରି ଟିଏମସିରେ ଥିଲେ ଏବଂ ପରେ ପଜିଟିଭ ଚିହ୍ନଟ ହୋଇଛନ୍ତି। ସମ୍ପୃକ୍ତ ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ବରଗଡ଼ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏଥିସହିତ ସମ୍ପୃକ୍ତ ଅଚଂଳକୁ ଅବରୋଧ ଅଚଂଳ ଭାବରେ ଘୋଷଣା କରାଯାଇ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ପାଇଁ ପଦକ୍ଷେପ ନିଆଯାଇଛି। ମାସ୍କ ବ୍ୟବହାର କରିବା ସହିତ ସାମାଜିକ ଦୂରତା ରକ୍ଷା କରିବାକୁ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି।