ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ

ପୁରୀ : ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତମହାପାତ୍ର ସେବକ ମାନେ ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପର୍ଣ୍ନ କରିବେ । ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ଆଦି ପ୍ରାକୃତିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ । ।ଏହା ଏକ ଗୁପ୍ତ ସେବା ଓ ଏକ ସ୍ୱତନ୍ତ୍ର ନୀତି ହୋଇଥିବାରୁ ଆଜି ଅପରାହ୍ନ ୫ ଟାରୁ ରାତ୍ର ୯ ଟା ପର୍ଯ୍ୟନ୍ତ ଅର୍ଥାତ ପ୍ରାୟ ଚାରି ଘଣ୍ଟା ଧରି ଏହି ନୀତି ଚାଲିବାକୁ ଥିବାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ବନକଲାଗି ନୀତି ପରେ ମହାପ୍ରଭୁଙ୍କୁ ମହାସ୍ନାନ କରାଯିବ । ଏହାପରେ ପୁନର୍ବାର ଦର୍ଶନ ଆରମ୍ଭ ହେବ ।

ସେପଟେ ମହାପ୍ରଭୁଙ୍କ ବଡମହାସ୍ନାନ ଯୋଗୁଁ ଆଜି ଭୋର ୧.୧୦ରେ ପହୁଡ ହୋଇଛି। ତେବେ ଗତକାଲି ରାତିରେ ମହାପ୍ରଭୁଙ୍କ ଚନ୍ଦନଲାଗି ମଇଲମକୁ ଯିବାବେଳେ ଗର୍ଭଗୃହରେ ଚାଙ୍ଗଡ଼ା ମେକାପଙ୍କ ଗୋଡ଼ଖସି ଯାଇଥିଲା। ଫଳରେ ତଳେ ପଡିଯିବାରୁ ଥାଳିରେ ଗୋଡ ବାଜି ଖଣ୍ଡିଆ ହୋଇ ରକ୍ତ ପଡ଼ିବା ଦୃଷ୍ଟିକୁ ଆସିବାରୁ ରାତି ୧୧.୨ରେ ମହାପ୍ରଭୁଙ୍କ ବଡ ମହାସ୍ନାନ ହୋଇଥିଲା। ୧୧.୨୫ରେ ମହାସ୍ନାନ ନିତି ସରିବା ପରେ ମଇଲମ, ଚନ୍ଦନଲାଗି ହୋଇ ୧୨.୩୦ରେ ବଡସିଂହାର ଓ ୧.୧୦ରେ ମହାପ୍ରଭୁଙ୍କ ପହୁଡ ନିତି ସମ୍ପର୍ଣ୍ଣ ହୋଇଥିଲା। ତେବେ ଆଜି ସକାଳ ୫.୨ମିନିଟରେ ସିଂହଦ୍ଵାର ଫିଟା ନିତି ସମ୍ପର୍ଣ୍ଣ ହେବା ସହ ମଙ୍ଗଳାଳତୀ ବଢି ଦୈନନ୍ଦିନର ଅନ୍ଯାନ୍ଯ ନିତି ସମ୍ପର୍ଣ୍ଣ କରାଯାଉଛି।