ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ଆଜି ଆଶ୍ବିନ କୃଷ୍ଣ ଚତୁର୍ଥୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦତ୍ତ ମହାପାତ୍ର ସେବକମାନେ ଶ୍ରୀବିଗ୍ରହ ଶୃଙ୍ଗାର କରିବେ । ଦ୍ବିତୀୟ ଭୋଗମଣ୍ଡପ ପରେ ଏହି ନୀତି ଆରମ୍ଭ ହେବ । ଏଥିପାଇଁ ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି । ଗୁରୁବାର ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଅପରାହ୍ଣ ପ୍ରାୟ ୫ଟାରୁ ବନକଲାଗି ନୀତି ଆରମ୍ଭ ହେବା ସହ ସର୍ବସାଧାରଣ ବନ୍ଦ ରହିବ । ଅପରାହ୍ଣ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବନକଲାଗି ନୀତି ଅନୁଷ୍ଠିତ ହେବ । ରାତି ୧୦ଟା ପରେ ସର୍ବସାଧାରଣ ଦର୍ଶନ ସ୍ବାଭାବିକ ହେବ ।

ଏହା ଏକ ଗୁପ୍ତ ନୀତି ହୋଇଥିବାରୁ, ଏହି ନୀତି ସମ୍ପାଦନ ବେଳେ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିଥାଏ । ବନକଲାଗି ନୀତିରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖ ଶୃଙ୍ଗାର ହୋଇଥାଏ । ପରମ୍ପରା ଅନୁଯାୟୀ ଦୁଇପ୍ରହର ଧୂପ ସରିବାପରେ ମନ୍ଦିରର ସମସ୍ତ ଦରଜା ବନ୍ଦ କରାଯାଇ ଏହି ନୀତି ଆରମ୍ଭ କରାଯିବାର ପରମ୍ପରା ରହିଛି । ଦତ୍ତମହାପାତ୍ର ରତ୍ନ ସିଂହାସନ ଉପରକୁ ଯାଇ ଠାକୁରମାନଙ୍କର ଶ୍ରୀମୁଖ ଶୃଙ୍ଗାର କରନ୍ତି । ଏହି ନୀତି ସମାପନ ହେବା ପର୍ଯ୍ୟନ୍ତ ପ୍ରାୟ ଚାରି ଘଣ୍ଟା ଧରି ଶ୍ରୀମନ୍ଦିରର ସମସ୍ତ ଚାରି ଦ୍ବାର ସମ୍ପୂର୍ଣ୍ଣ ବନ୍ଦ ରହେ ।