ନୂଆଦିଲ୍ଲୀ: ଦୀପାବଳିରେ ବାଣ ଫୁଟାଇପାରିବେନି ଦିଲ୍ଲୀବାସୀ । ଦିଲ୍ଲୀ ଆପ୍ ସରକାର ନୋଟିଫିକେସନ ଜରିଆରେ ବାଣ ଫୁଟାଇବା ନେଇ କଟକଣା ଜାରି କରିଛନ୍ତି । ଦିଲ୍ଲୀ ଏନସିଆରରେ ବାଣ ଉପରେ ଲାଗିଲା ପ୍ରତିବନ୍ଧକ । ଏନସିଆର ଇଲାକାରେ ବାଣ ପ୍ରସ୍ତୁତି, ବିକ୍ରି ଓ ଫୁଟାଇବା ଉପରେ ଲାଗିଲା ବ୍ୟାନ । ଏହି କଟକଣା ଆସନ୍ତା ୨୦୨୫ ଜାନୁଆରୀ ୧ ଯାଏଁ ବଳବତ୍ତର ରହିବ । ଦିଲ୍ଲୀ ଏନସିଆରରେ ବାଣ ପ୍ରସ୍ତୁତି, ବିକ୍ରି ନ ହେଲେ କାଳେ ଲୋକେ ଅନଲାଇନରେ ବାଣ ମଗେଇବେ, ସେଥିପାଇଁ ଅନଲାଇନ ବିକ୍ରି ଉପରେ ମଧ୍ୟ କଟକଣା ଲଗାଇଛନ୍ତି ସରକାର । ଦିଲ୍ଲୀ ସରକାରରେ ପରିବେଶ ମନ୍ତ୍ରୀ ଥିବା ଗୋପାଳ ରାୟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଜାରି କରାଯାଇଥିବା ଆଦେଶରେ ଦିଲ୍ଲୀ ସରକାର ବାୟୁ ପ୍ରଦୂଷଣ ରୋକିବା ଏବଂ ନିୟନ୍ତ୍ରଣ ଅଧିନିୟମ ୧୯୮୧ର ଧାରା ୩୧ (ଏ) ଅନୁଯାୟୀ ବାଣ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଦିଲ୍ଲୀରେ ବାୟୁ ପ୍ରଦୂଷଣ ବଢୁଥିବାରୁ ସରକାରଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି।