ଭୁବନେଶ୍ଵର: ଭୁବନେଶ୍ବରରେ ପହଞ୍ଚିଲା ବଳଙ୍ଗା ପୀଡ଼ିତାଙ୍କ ମୃତଦେହ । ଦିଲ୍ଲୀରୁ ବିମାନ ଯୋଗେ ଅଣାଗଲା ମୃତଦେହ । ରାତି ପ୍ରାୟ ୧୧ଟା ସମୟରେ ଭୁବନେଶ୍ବରରେ ମୃତଦେହ ପହଞ୍ଚିଥିବା ନେଇ ସୂଚନା ମିଳିଛି । ତେବେ ପୀଡ଼ିତାଙ୍କ ମୃତଦେହ ଆସିବା ପୂର୍ବରୁ ଭୁବନେଶ୍ବର ଏୟାରପୋର୍ଟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା । ବିମାନ ବନ୍ଦର ବାହାରେ ୬ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ବିମାନ ବନ୍ଦରରୁ ମହାପ୍ରୟାଣ ଗାଡ଼ିରେ ଜନ୍ମସ୍ଥାନକୁ ଯିବ ପୀଡ଼ିତାଙ୍କ ମର ଶରୀର ।

ତେବେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ପୀଡ଼ିତାଙ୍କର ମୃତ୍ୟୁ ହୋଇଛି । ପୀଡିତାଙ୍କ ଶବ ବ୍ୟବଚ୍ଛେଦ ପରେ ଓଡ଼ିଶା ଆସିଛି ତାଙ୍କ ମରଶରୀର। ସେପଟେ ପୀଡିତାଙ୍କ ଶେଷ ଦର୍ଶନ ପାଇଁ ଅପେକ୍ଷାରତ ଅଛନ୍ତି ପୁରା ଗାଁ। ଗାଁରେ ସୁରକ୍ଷା ବ୍ୟବସ୍ଥା ବଢାଯାଇଥିବା ବେଳେ ତାଙ୍କ ଘର ଆଗରେ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଅପ୍ରୀତିକର ପରିସ୍ଥିତି ସୃଷ୍ଟି ଆଶଙ୍କାରେ ଅଧିକ ପୋଲିସ ମୁତୟନ ହୋଇଛନ୍ତି । ଅନ୍ୟପଟେ ବିରୋଧି ଦଳଙ୍କ ପକ୍ଷରୁ ବିରୋଧ ପ୍ରଦର୍ଶନ ଆଶଙ୍କା କରାଯାଇଛି । ସେପଟେ ଚାରି ଚାରି ଥର ବୟାନ ରେକର୍ଡ ଏତେ ତଦନ୍ତ ପରେ ମଧ୍ୟ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇନି କ୍ରାଇମବ୍ରାଞ୍ଚ କି ସ୍ପେଶାଲ ପୋଲିସ ଟିମ୍। ପୀଡ଼ିତାଙ୍କ ସାଙ୍ଗ ଓ ପଡ଼ୋଶୀଙ୍କ ସମେତ ୭୦ରୁ ଅଧିକଙ୍କୁ ପଚରାଉଚରା କରିଥିଲା ପୁଲିସ। ୩୦ରୁ ଅଧିକ ମୋବାଇଲ୍ ଟ୍ରାକ୍ କରାଯାଇଥିଲା। ନିଜେ ପୁରୀ ଏସପି ପିନାକ ମିଶ୍ର, କ୍ରାଇମବ୍ରାଞ୍ଚ ଟିମ୍ ବାରମ୍ବାର ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ । ବଳଙ୍ଗା ବଜାରରେ ଥିବା ଗହଣା ଦୋକାନୀଙ୍କୁ ପଚରାଉଚରା କରିଥିଲା ପୁଲିସ । ତଥାପି ଆଜି ପର୍ଯ୍ୟନ୍ତ ପୁଲିସ ହାତ ଖାଲି ରହିଛି।

ସୂଚନାଯୋଗ୍ୟ, ଗତ ଜୁଲାଇ ୧୯ରେ ପୀଡ଼ିତାଙ୍କୁ ପେଟ୍ରୋଲ ପକାଇ ଜାଳିଦେଇଥିଲେ ୩ ଜଣ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ପୀଡିତାଙ୍କୁ ଭୁବନେଶ୍ଵର ଏମ୍ସରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ପରେ ପୀଡିତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାରଲିପ୍ଟ କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଥିଲେ ପୀଡିତା । ଘଟଣାରେ ତଦନ୍ତ ଜାରି ରହିଥିବା ବେଳେ ବାରମ୍ୱାର ପୋଲିସ ବଳଙ୍ଗାରୁ ଦିଲ୍ଲୀ ଯାଏଁ ଛାନଭିନ କରିଥିଲା । ଦିଲ୍ଲୀ ଯାଇ ଚାରି ଚାରି ଥର ପୋଲିସର ବୟାନ ମଧ୍ୟ ରେକର୍ଡ କରିଥିଲା । ହେଲେ ଏଯାଏଁ ଅଭିଯୁକ୍ତଙ୍କ ଟେର୍ ପାଉନି ପୋଲିସ ।