ପୁଣି ଚର୍ଚ୍ଚାରେ ବଳଙ୍ଗା ନାବାଳିକା ପୋଡି ମୃତ୍ୟୁ ଘଟଣା: ପୀଡିତାଙ୍କ ବୟାନ ଭାଇରାଲ

ପୁରୀ: ପୁଣି ଚର୍ଚ୍ଚାରେ ବଳଙ୍ଗା ନାବାଳିକା ପୋଡି ମୃତ୍ୟୁ ଘଟଣା । ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପୀଡିତାଙ୍କ ବୟାନ ରେକର୍ଡର ଭିଡିଓ ଏବେ ସୋସିଆଲ ମିଡ଼ିଆ ଭାଇରଲ ହେଉଛି । ତେବେ କିଏ ଓ କାହିଁକି ଏମିତି ଭିଡିଓ ଭାଇରାଲ କରିଛି ତାହା ଏବେ ବି ଅସ୍ପଷ୍ଟ ରହିଛି । ଭିଡିଓଟିରେ ସେମାନେ ବାଇକ୍‌ରେ ଆସିଥିଲେ, ମୁଁ ଘରକୁ ଫେରୁଥିଲି, ସେମାନେ ମୁହଁରେ ରୁମାଲ ବାନ୍ଧିଥିଲେ, ରୁମାଲରେ ସେମାନେ କିଛି ଆଣିଥିଲେ, ରୁମାଲ ମୁହଁରେ ଚାପିଦେବାରୁ ମୁଁ ବେହୋସ ହୋଇଯାଇଥିଲି, ତାପରେ ମୋ ହୋସ୍ ଆସିଥିଲା, ଜଙ୍ଗଲରେ କିରୋସିନି ଢ଼ାଳିଥିଲେ ଏପରି କିଛି ଶୁଣିବାକୁ ମିଳୁଛି । ବଳଙ୍ଗା ପୀଡ଼ିତା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସମୟରେ ପୋଲିସ ପକ୍ଷରୁ ବୟାନ ରେକର୍ଡ କରାଯାଇଥିଲା । ତେବେ ଏହି ଭାଇରାଲ୍ ଭିଡିଓଟି ସେହି ସମୟର ବୋଲି ଚର୍ଚ୍ଚା ହେଉଛି ।

ତେବେ ଭିଡିଓଟିରେ ଜଣେ ମହିଳା ଅଧିକାରୀ ପୀଡ଼ିତାଙ୍କଠାରୁ ବୟାନ ରେକର୍ଡ କରୁଛନ୍ତି । ସେ ପୀଡ଼ିତାଙ୍କୁ ବିଭିନ୍ନ ପ୍ରଶ୍ନ କରୁଛନ୍ତି । ତେବେ ବୟାନ ରେକର୍ଡ ବେଳେ ଯେଉଁଠି କେବଳ ସ୍ବୀକୃତିପ୍ରାପ୍ତ ପୁଲିସ ଅଧିକାରୀଙ୍କୁ ସୁଯୋଗ ମିଳିଥିଲା ଏପରିକି ହସ୍ପିଟାଲ କର୍ମଚାରୀଙ୍କୁ ମଧ୍ୟ ସେଠାରେ ରଖାଯାଇନଥିଲା । ଏହାରି ଭିତରେ ଭିଡିଓଟି କେମିତି ସାମାଜିକ ଗଣମାଧ୍ୟମକୁ ଆସିଲା ତାହା ଏବେ ବଡ ପ୍ରଶ୍ନ ହୋଇ ଛିଡା ହୋଇଛୋ । ଏହା ଏକ ସମ୍ବେଦନଶୀଳ ଘଟଣା । ଏହା କୌଣସି ପରିସ୍ଥିତିରେ ବାହାରକୁ ଆସିବା କଥା ନୁହଁ । ପୁଲିସ ଏହି ବୟାନ ରେକର୍ଡ କରି କୋର୍ଟରେ ଉପସ୍ଥାପନ କରିବାର ଥିଲା । କିନ୍ତୁ କିଏ ଏହାକୁ ସର୍ବସାଧାରଣ କରିଛି ? ତାକୁ ନେଇ ପ୍ରଶ୍ନ ଉଠିଛି ।

ସେପଟେ ଏହି ଘଟଣାକୁ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ପୁରୀ ଏସ୍‌ପି । ଭିଡିଓ‌ କିଏ ଏବଂ କାହିଁକି ଭାଇରାଲ୍‌ କଲେ ତାର ଅନୁସନ୍ଧାନ ହେଉଛି । ସାଇବର ଟିମ୍, କ୍ରାଇମବ୍ରାଞ୍ଚ ସହଯୋଗରେ ଭାଇରାଲ ଭିଡିଓର ତଦନ୍ତ ହେବ । ଏଭଳି ସମ୍ବେଦନଶୀଳ ଘଟଣାରେ ଭିଡିଓ ଭାଇରାଲ୍ କରିବା ଉଚିତ ନୁହେଁ । ଆଇନ ଅନୁଯାୟୀ ମାଜିଷ୍ଟ୍ରେଟଙ୍କ ଆଗରେ ବୟାନ ରେକର୍ଡ କରାଯାଇଛି । ତଦନ୍ତ ଶେଷ ପର୍ଯ୍ୟାୟରେ, କୋର୍ଟଙ୍କୁ ଅବଗତ କରାଯିବ ବୋଲି କହିଛନ୍ତି ପୁରୀ ଏସ୍ପି ପୀନାକ ମିଶ୍ର ।

କହିରଖୁଛୁ ଯେ, ଗତ ଜୁଲାଇ ୧୯ ତାରିଖ ଦିନ ପୀଡ଼ିତା ସକାଳୁ ସାଙ୍ଗ ଘରକୁ ଯାଉଥିଲେ । ବାଟରେ ନାବାଳିକାକୁ ଉଠାଇନେଇଥିଲେ ୩ ଦୁର୍ବୃତ୍ତ । ମୁହଁରେ କପଡ଼ା ବାନ୍ଧି ଭାର୍ଗବୀ ନଦୀ ପଠାକୁ ନେଇଯାଇଥିଲେ । ପେଟ୍ରୋଲ ଢାଳି ନିଆଁ ଲଗାଇ ଜାଳିଦେଇଥିଲେ । ଏହା ପରେ ତୁରନ୍ତ ନାବାଳିକା ଘରେ ଖବର ଦିଆଯାଇଥିଲା । ପିପିଲି ମେଡିକାଲରେ ଦିଆଯାଇଥିଲା ପ୍ରାଥମିକ ଚିକିତ୍ସା । ପରେ ପୀଡ଼ିତାଙ୍କୁ ଭୁବନେଶ୍ଵର ଏମ୍ସ ଏବଂ ଏହାପରେ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ଶେଷରେ ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।